ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ବିକଶିତ ନୁହେଁ, ବିକଳାଙ୍ଗ ଯୋଜନା: ବିଜେଡି

ରାଜ୍ୟ ବିଜେପି ସରକାରଙ୍କ ଦ୍ୱାରା ଆଜି ଆରମ୍ଭ କରାଯାଇଥିବା ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଉପରେ ବିଜୁ ଜନତା ଦଳ ତାର ପ୍ରତିକ୍ରିୟାରେ ବିକଶିତ ନାଁରେ ବିକଳାଙ୍ଗ ଯୋଜନା କରାଯାଇଛି ବୋଲି କହିଛି । ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ ସାହୁ କହିଥିଲେ, ଆମ ଓଡିଶା ନବୀନ ଓଡିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ହିସାବରେ ସମୁଦାୟ ୩,୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରସ୍ତାବ ରହିଥିଲା ବେଳେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ସମୁଦାୟ ୧୦୦୦ କୋଟି ବ୍ୟୟର ପ୍ରସ୍ତାବ ରହିଛି । ରାଜ୍ୟରେ ୬୮୦୦ ପଞ୍ଚାୟତ ଥିବାବେଳେ ପ୍ରତି ପଞ୍ଚାୟତ ପିଛା ୧୪.୮୦ ଲକ୍ଷ ଟଙ୍କା ପଡୁଛି, ଯାହା ଆମ ଓଡିଶା ନବୀନ ଓଡିଶା ଯୋଜନାରେ ବରାଦ କରାଯାଇଥିବା ଅର୍ଥର ଏକ ତୃତୀୟାଂଶରୁ ମଧ୍ୟ କମ୍ । ରାଜ୍ୟରେ ଅନୁନ୍ୟ ୫୦,୦୦୦ ରାଜସ୍ୱ ଗ୍ରାମ ରହିଛି ଓ ପ୍ରାୟ ୯୨,୦୦୦ ୱାର୍ଡ ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା ବରାଦ କରାଯାଇଥିବା ଅର୍ଥ ୱାର୍ଡ ପିଛା ଏକ ଲକ୍ଷ ଟଙ୍କା ପଡୁଛି, ଯାହା ଗ୍ରାମାଞ୍ଚଳର ବିକାଶ ପାଇଁ ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ । ଡବଲ ଇଞ୍ଜିନ ଡବଲ ବିକାଶର ନାରା ଦେଇ କ୍ଷମତାକୁ ଆସିଥିବା ସରକାର କେବଳ ବାହାସ୍ଫୋଟ ମାରୁଛନ୍ତି । ଡବଲ ଇଞ୍ଜିନ ଡବଲ ଅର୍ଥ ବ୍ୟବସ୍ଥା ହବା କଥା, କିନ୍ତୁ ପୂର୍ବ ବ୍ୟବସ୍ଥାର ଏକ ତୃତୀୟାଂଶ ମଧ୍ୟ ପ୍ରଦାନ କରିପାରୁ ନାହାନ୍ତି । ସୁତରାଂ ଏହା ବିକଶିତ ନୁହେଁ ବରଂ ବିକଳାଙ୍ଗ ଯୋଜନା । ପୂର୍ବ ଅର୍ଥର ପରିମାଣକୁ କମ୍ କରିବା ଦ୍ୱାରା ଗାଁର ବିକାଶ ପୋଲିଓ ରୋଗରେ ଆକ୍ରାନ୍ତ ହେବା ସ୍ୱାଭାବିକ ।
ଡ଼ ସାହୁ କହିଥିଲେ, ଓଡ଼ିଶାର ଗ୍ରାମାଞ୍ଚଳର ବିକାଶ ପାଇଁ ନବୀନ ସରକାର ବିଭିନ୍ନ କାର୍ଯ୍ୟ କରିଥିଲେ । ସହରାଞ୍ଚଳରେ ମିଳୁଥିବା ସୁବିଧା କିପରି ଗ୍ରାମାଞ୍ଚଳର ବାସିନ୍ଦା ମାନଙ୍କୁ ମିଳିପାରିବ, ସେଥିପାଇଁ ସେ ପଦକ୍ଷେପ ନେଇଥିଲେ । ଗ୍ରାମାଞ୍ଚଳରେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରଥମେ ନବୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା, ପରେ ଭାରତ ସରକାର ତାକୁ ଆପଣେଇ ଥିଲେ । ଏହି ପ୍ରକ୍ରିୟାରେ ରାଜ୍ୟରେ ପ୍ରାୟ ୧,୭୫,୦୦୦ କିଲୋମିଟର ରାସ୍ତା ଗ୍ରାମାଞ୍ଚଳରେ ନିର୍ମାଣ କରାଯାଇଥିଲା । ନବୀନ ସରକାରଙ୍କ ଏହି କାର୍ଯ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା ।
ଡ଼ ସାହୁ ଆହୁରି କହିଥିଲେ, ଗ୍ରାମାଞ୍ଚଳରେ ବିକାଶ ପାଇଁ ଦାବି କରୁଥିବା ଡବଲ ଇଞ୍ଜିନ ସରକାର ନରେଗା ଯୋଜନାରେ ଅର୍ଥ ବୃଦ୍ଧି କରୁନାହାନ୍ତି, ଯାହା ଫଳରେ ଗ୍ରାମାଞ୍ଚଳର ବାସିନ୍ଦାଙ୍କ ରୋଜଗାର ସମସ୍ୟା ବୃଦ୍ଧି ପାଉଛି । ଅପରପକ୍ଷରେ ଦରଦାମ ବୃଦ୍ଧି ଗ୍ରାମାଞ୍ଚଳର ବାସିନ୍ଦାଙ୍କୁ ବ୍ୟଥିତ କରୁଛି । ରାଜ୍ୟ ବିଜେପି ସରକାରଙ୍କ ବିକଶିତ ଓଡିଶା ନାରା ଗତ ୮ ମାସରେ ଫମ୍ପା ଆୱାଜରେ ପରିଣତ ହୋଇଛି । ମାଣ୍ଡିପଙ୍କା ଗ୍ରାମରେ ଆମ୍ୱ ଟାକୁଆ ଖାଇ ୩ ଜଣଙ୍କ ମୃତୁ୍ୟ, ଚିକିଟିରେ ଅପମିଶ୍ରିତ ମଦ ପିଇ ୫ ଜଣଙ୍କ ମୃତୁ୍ୟ, କଣାସରେ ଅପମିଶ୍ରିତ ଜଳ ପିଇ ୫ ଜଣଙ୍କ ହଇଜାରେ ମୃତୁ୍ୟ, ଅଦିନିଆ ବର୍ଷାରେ ବ୍ୟାପକ ଫସଲହାନି ଯୋଗୁଁ ଅନୁନ୍ୟ ୧୨ ଜଣ ଚାଷୀଙ୍କ ମୃତୁ୍ୟ ରାଜ୍ୟ ସରକାରଙ୍କ ବିକଶିତ ଓଡ଼ିଶାର ବିକଳ ଚିତ୍ର ଜଳ ଜଳ ହୋଇ ଦିଶୁଛି । ତାଛଡା, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି । ତେଣୁ ରାଜ୍ୟ ସରକାରଙ୍କୁ ଏତିକି ନିବେଦନ, ଡବଲ ଇଞ୍ଜିନ ଡବଲ ବିକାଶ କରିବା ପାଇଁ ଦୁଇ ଗୁଣ ଅର୍ଥ ବରାଦ କର ।

Leave a Reply

Your email address will not be published. Required fields are marked *