ସ୍ୱତନ୍ତ୍ର ରାଜ୍ୟ ବା ଫୋକସ ରାଜ୍ୟର ମାନ୍ୟତା ଦିଅ: ବିଜେଡି

ଲଗାତାର ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶା ଓ ଏହାର ଜନସଂଖ୍ୟାର ଚାଳିଶ ପ୍ରତିଶତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ହୋଇଥିବାରୁ, ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା କିମ୍ବା ସ୍ୱତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ପ୍ରଦାନ ପାଇଁ ବିଜୁ ଜନତା ଦଳ ଷୋଡଶ ଅର୍ଥ ଆୟୋଗ ସମ୍ମୁଖରେ ଦୃଢ଼ ଦାବୀ ରଖିଛି । ଏହି ସମ୍ୱନ୍ଧରେ, ବିଜୁ ଜନତା ଦଳର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଗତକାଲି ଷୋଡଶ ଅର୍ଥ ଆୟୋଗକୁ ଭେଟି ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷରିତ ଏକ ଦାବିପତ୍ର ପ୍ରଦାନ କରିଥିବା ବେଳେ ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳ ତରଫରୁ ଦିଆଯାଇଥିବା ସ୍ମାରକପତ୍ର ବିଷୟରେ ସୂଚନା ଦେଇଥିଲେ ।
ବିଜେଡିର ବିଧାନସଭାରେ ଉପନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, କେନ୍ଦ୍ର ସରକାରଙ୍କ ତରଫରୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ବା ଫୋକସ ରାଜ୍ୟର ମାନ୍ୟତା ପ୍ରଦାନ ଆବଶ୍ୟକତା ରହିଛି ବୋଲି କୁହାଯାଇଛି, ଯାହା ମାଧ୍ୟମରେ ଉତ୍ତର-ପୂର୍ବ ରାଜ୍ୟ ବା ହିମାଳୟନ ଷ୍ଟେଟ ଗୁଡିକୁ ମିଳୁଥିବା ୯୦:୧୦ ଅନୁପାତରେ ଅନୁଦାନ କେନ୍ଦ୍ର ଠାରୁ ମିଳିପାରିବ । ଓଡିଶା ଲଗାତାର ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ଓ ଓଡ଼ିଶାର ପ୍ରାୟ ଚାଳିଶ ପ୍ରତିଶତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନ ଜାତି ହୋଇଥିବାରୁ ଫୋକସ ରାଜ୍ୟର ମାନ୍ୟତାର ଆବଶ୍ୟକତା ରହିଛି । ତାଛଡା, ରାଜ୍ୟ ମାନଙ୍କୁ କେନ୍ଦ୍ରୀୟ ଟିକସ ହସ୍ତାନ୍ତର ହାର, ଯାହା ଏବେ ୪୧% ରହିଛି, ତାକୁ ୫୦% କୁ ବୃଦ୍ଧି କରିବାକୁ ବିଜେଡି ଦାବୀ ରଖିଛି । ପ୍ରତି ତିନି ବର୍ଷରେ କୋଇଲା ରୟାଲିଟି ସଂଶୋଧନ ବ୍ୟବସ୍ଥା ରହିଥିଲେ ହେଁ ଦୀର୍ଘ ୧୪ ବର୍ଷ ହେଲା ଏହା କରାଯାଇ ନାହିଁ, ଯାହା ଫଳରେ ଓଡିଶା, ଝାରଖଣ୍ଡ ଓ ବିହାର ପରି ରାଜ୍ୟମାନେ କ୍ଷତି ସହୁଛନ୍ତି । ତେଣୁ ତୁରନ୍ତ କୋଇଲା ରୟାଲିଟି ସଂଶୋଧନ କରାଯାଉ ବୋଲି ଦଳ ଦାବୀ କରିଛି ।
ପୂର୍ବତନ ରାଜ୍ୟସଭା ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ଡ. ଅମର ପଟ୍ଟନାୟକ କହିଥିଲେ, ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଓଡିଶା ବିତ୍ତୀୟ ଶୃଙ୍ଖଳା କ୍ଷେତ୍ରରେ, ନୀତି ଆୟୋଗଙ୍କ ରିପୋର୍ଟ ଅନୁଯାୟୀ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଛି । ବିଜେଡି ତାର ଦାବିପତ୍ରରେ, ବିଭିନ୍ନ ଗଠନ ମୂଳକ ପ୍ରସ୍ତାବ ଦେଇଛି ଯାହା ମାଧ୍ୟମରେ ଓଡିଶାକୁ ଅଧିକ ଅର୍ଥ ମିଳିପାରିବ । ସେହି ହିସାବରେ, ଯେଉଁ ରାଜ୍ୟ ମାନେ ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ନିର୍ଦ୍ଧାରିତ ମାନଦଣ୍ଡ ପାଳନ କରୁଛନ୍ତି, ସେମାନଙ୍କୁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ପ୍ରଦାନର ବ୍ୟବସ୍ଥା କରାଯାଉ ବୋଲି ବିଜେଡି କହିଛି । ସେହିପରି, ପରିବେଶ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆଗୁଆ ଥିବା ରାଜ୍ୟ ମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଅନୁଦାନ ଦିଆଯାଉ । ଉଲ୍ଲେଖଯୋଗ୍ୟ, ବିପର୍ଯ୍ୟୟ ପରିଚାଳନା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଓଡିଶା ଆଗୁଆ ରାଜ୍ୟ ଭାବେ ରହିଛି । କ୍ଲିନ ଏନର୍ଜି ସେସ ମାଧ୍ୟମରେ ଆଦାୟ କରାଯାଉଥିବା ରାଜସ୍ୱରେ ରାଜ୍ୟ ମାନଙ୍କ ଭାଗ ରଖାଯାଉ ବୋଲି ଦଳ ଦାବୀ କରିଛି ।
ଡ. ପଟ୍ଟନାୟକ କହିଥିଲେ, ଓଡ଼ିଶାର ଆର୍ଥିକ ସ୍ଥିତି କିପରି ସୁଦୃଢ଼ ହେବ ସେହି ଲକ୍ଷ୍ୟ ରଖି ବିଭିନ୍ନ ପ୍ରସ୍ତାବ ଓ ଦାବୀ ରଖା ଯାଇଛି । କିନ୍ତୁ, ରାଜ୍ୟ ସରକାର ଓ ବିଜେପି ତରଫରୁ ପ୍ରଦାନ କରାଯାଇଥିବା ଦାବିପତ୍ରରେ ଓଡିଶା ପାଇଁ ଫୋକସ ରାଜ୍ୟର ମାନ୍ୟତା କି କୌଣସି ସ୍ୱତନ୍ତ୍ର ପ୍ୟାକେଜ ପାଇଁ ଦାବୀ କରାଯାଇ ନାହିଁ । ବିଜୁ ଜନତା ଦଳ ତରଫରୁ ଆମେ ବିଜେପି ସରକାରଙ୍କୁ ପ୍ରଶ୍ନ ପଚାରିବାକୁ ଚାହୁଁଛୁ ଯେ, ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିବା ପାଇଁ ଏତେ ଡର କାହିଁକି?
ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଶ୍ରୀ ଶଶୀ ଭୂଷଣ ବେହେରା କହିଥିଲେ, କେନ୍ଦ୍ରୀୟ ଅବହେଳା ସତ୍ତ୍ୱେ, ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଉତ୍ତମ ଆର୍ଥୀକ ପରିଚାଳନା ଯୋଗୁ ରାଜ୍ୟ ଉକ୍ରଟ ଆର୍ଥିକ ସମସ୍ୟାରୁ ବାହାରି ଏକ ଆର୍ଥୀକ କ୍ଷେତ୍ରରେ ବଳକା ରାଜ୍ୟ ହୋଇଥିଲା । ରାଜ୍ୟର ବୁଣାକାର ସମୁଦାୟଙ୍କ ଉନ୍ନତି ପାଇଁ ଓ ବନ୍ଦ ହୋଇ ଯାଇଥିବା ଚିନି କଳ ଗୁଡିକର ପୁନଃରୁଦ୍ଧାର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ ପାଇଁ ଦଳ ଦାବୀ ରଖିଛି । ସେହିପରି, ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ, ଆଠ ଆଠଟି କେନ୍ଦ୍ରୀୟ ଯୋଜନାକୁ ବନ୍ଦ କରି ଦିଆଗଲା, ଯାହା ଓଡିଶା ପ୍ରତି କେନ୍ଦ୍ରର ଅବହେଳାର ଉଦାହରଣ । ପୂର୍ବରୁ କେନ୍ଦ୍ରରୁ ୯୦:୧୦ ଅନୁପାତରେ ଅର୍ଥ ପ୍ରଦାନ କରାଯାଉଥିଲା, ଯାହାକୁ ୬୦:୪୦କୁ କମାଇ ଦିଆଗଲା, ଯଦ୍ୱାରା ରାଜ୍ୟ ଉପରେ ଆର୍ଥିକ ବୋଝ ବଢିଲା ।

Leave a Reply

Your email address will not be published. Required fields are marked *