ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ସେନା ବୋମା ଏବଂ କ୍ଷେପଣାସ୍ତ୍ର ବର୍ଷଣ କରୁଛି। ଋଷ ସେନା ୟୁକ୍ରେନର ସାମରିକ ପ୍ରତିଷ୍ଠାନଗୁଡିକ ଉପରେ ଆକ୍ରମଣ ଚଳାଇଛି । ୟୁକ୍ରେନ ଓ ଋଷିଆ ମଧ୍ୟରେ ଚାଲିଥିବା ତାଣ୍ଡବଲୀଳାକୁ ନେଇ ବିଶ୍ବ ସମୁଦାୟ ଚିନ୍ତିତ ଥିବାବେଳେ ଏହାକୁ କଡା ନିନ୍ଦା କରିଛି ନାଟୋ(NATO) ।
NATO ୟୁକ୍ରେନବାସୀଙ୍କ ସହ ଅଛି ଏବଂ ସେମାନଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ସେସବୁ କରିବ ବୋଲି ନାଟୋ କହିଛି । ଋଷକୁ ନିଜର ସାମରିକି ଅପରେସନ ବନ୍ଦ କରିବାକୁ ଏବଂ ୟୁକ୍ରେନର ସାର୍ବଭୌମତ୍ବ ତଥା ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଜଣାଇବାକୁ ନାଟୋ ଆହ୍ବାନ କରିଛି । ହେଲେ ଋଷିଆ ତିନି ପଟୁ ନିଜର ଆକ୍ରମଣ ଜାରି ରଖିଛି । ଋଷର ଏଭଳି ଆଭିମୁଖ୍ୟ ବିରୁଦ୍ଧରେ ନାଟୋ ରାଷ୍ଟ୍ରଗୁଡିକ ଏକ ବୈଠକ ଡାକିବେ ବୋଲି ମହାସଚିବ ଜଣାଇଛନ୍ତି । ୟୁକ୍ରେନ ବିରୋଧରେ ଋଷର ଯୁଦ୍ଧ ଘୋଷଣା ପରେ ଆମେରିକା ରାଷ୍ଟ୍ରପତି କହିଛନ୍ତି, ମେଣ୍ଟ ବିରୁଦ୍ଧରେ ହେଉଥିବା ଯେକୌଣସି ପ୍ରକାର ଆକ୍ରମଣର କଡା ଜବାବ ଦେବାକୁ ଆମେରିକା NATO ସହଯୋଗୀମାନଙ୍କ ସହ ସମନ୍ବୟ ରକ୍ଷା କରିବ ।
ଯେଉଁଭଳି ଭାବରେ ୟୁକ୍ରେନ ନାଟୋର ନିକଟତର ଏବଂ ଅନେକ ନାଟୋ ଦେଶ ୟୁକ୍ରେନ ସୀମାରେ ନିଜର ସେନା ପଠାଉଛନ୍ତି । ନାଟୋର ଦେଶଗୁଡ଼ିକ ୟୁକ୍ରେନର ପଡୋଶୀ ଦେଶକୁ ସୈନ୍ୟ, ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଯାନ ଯୋଗାଇବା ଆରମ୍ଭ କରିଛନ୍ତି। ଏଥିରୁ ଜଣାପଡୁଛି ଯେ ନାଟୋ ୟୁକ୍ରେନକୁ ପୂର୍ଣ୍ଣ ସମର୍ଥନ କରୁଛି। ଏଭଳି ପରିସ୍ଥିତିରେ ୟୁକ୍ରେନକୁ ନାଟୋର ସମର୍ଥନ ଋଷିଆ ଉପରେ ଭାରୀ ହୋଇପାରେ।
ନାଟୋ ସଂଗଠନରେ ୩୦ ଟି ଦେଶ ଅଛି | ନାଟୋର ଆନ୍ତର୍ଜାତୀୟ ସାମରିକ ମିଳିତ ମଞ୍ଚର ମୂଳ ନୀତି ହେଉଛି ଏହାର ସାମୂହିକ ପ୍ରତିରକ୍ଷା ବ୍ୟବସ୍ଥା । ସଂଗଠନର ନିୟମ ଅନୁଯାୟୀ, ଯଦି କୌଣସି ଦେଶ ସଦସ୍ୟ ଦେଶ ଉପରେ ଆକ୍ରମଣ କରନ୍ତି, ତେବେ ଏହାକୁ ସମଗ୍ର ସଂଗଠନ ଉପରେ ଆକ୍ରମଣ ଭାବରେ ବିବେଚନା କରାଯିବ। ଏହି ଆଧାରରେ ସମସ୍ତ ଦେଶ ତାଙ୍କ ସହିତ ରହିବେ । ଯଦିଓ ୟୁକ୍ରେନ ନାଟୋର ସଦସ୍ୟ ନୁହେଁ, ନାଟୋ ଚାହିଁଲେ ୟୁକ୍ରେନକୁ ସମର୍ଥନ କରିପାରିବ । ବ୍ରିଟେନ୍ ମଧ୍ୟ ୟୁକ୍ରେନକୁ ଆଣ୍ଟି ଟ୍ୟାଙ୍କ୍ ଅସ୍ତ୍ରଶସ୍ତ୍ର ଏବଂ ସଶସ୍ତ୍ର ଯାନ ଯୋଗାଉଛି । ପୋଲାଣ୍ଡ କହିଛି ଯେ ସେ ୟୁକ୍ରେନକୁ ଗ୍ୟାସ ଏବଂ ଆର୍ଟିଲିରି ଗୁଳି, ମୋର୍ଟାର, ପୋର୍ଟେବଲ୍ ଏୟାର ଡିଫେନ୍ସ ସିଷ୍ଟମ, ସିସିଟିଭି ଡ୍ରୋନ୍ ଏବଂ ଅସ୍ତ୍ରଶସ୍ତ୍ର ତଥା ମାନବିକ ତଥା ଅର୍ଥନନୌତିକ ସହାୟତା ଯୋଗାଇବ। ନାଟୋ ସଦସ୍ୟ ଦେଶ ରୋମାନିଆ ୟୁକ୍ରେନ ସହିତ ଏହାର ସୀମା ବାଣ୍ଟିଛି। ୨୦୦୪ ରୁ ରୋମାନିଆ ନାଟୋର ସଦସ୍ୟ ରହିଆସିଛି । ଆମେରିକା, ବ୍ରିଟେନ, ଜର୍ମାନୀ ଏବଂ ଫ୍ରାନ୍ସ ପରି ଦେଶର ସୈନ୍ୟବାହିନୀ ଏଠାରେ ଉପସ୍ଥିତ ଅଛନ୍ତି।

