ଭୁବନେଶ୍ଵର : ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଳାସପଲ୍ଲୀ ୟୁପି ସ୍କୁଲରେ ହୋଇଥିବା ବୁଥରେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ମହାନଗର ନିଗମର ୫୩ ନମ୍ବର ୱାର୍ଡ଼ରେ ୫୪୪ ନମ୍ବର ବୁଥରେ ଭୋଟ ଦେଇ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜକୁ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ଚାଲି ଚାଲି ୩୦୦ ମିଟର ଦୂର ଭୋଟ ଦାନ କେନ୍ଦ୍ରରେ ପହଞ୍ଚିଥିଲେ । ଜଣେ ସାଧାରଣ ଭୋଟର ରୂପରେ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଦେଖିବାକୁ ନବୀନ ନିବାସ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।ସେହିପରି ଭୋଟ ଦେବା ପରେ ମଧ୍ୟ ମତଦାନ କେନ୍ଦ୍ରରୁ ନବୀନ ନିବାସ ଚାଲିଚାଲି ଫେରିଥିଲେ ନବୀନ ।ପୌର ନିର୍ବାଚନରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ଗଣତନ୍ତ୍ରକୁ ଆହୁରି ମଜବୁତ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ ପ୍ରତିଟି ଭୋଟ ମୂଲ୍ୟବାନ । ନିଜେ ଭୋଟ୍ ଦେବା ସହ ସମସ୍ତଙ୍କୁ ଭୋଟ୍ ଦେବା ପାଇଁ ଉତ୍ସାହିତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
2022-03-24

