କଟକ ବାରବାଟୀ ଟି-୨୦ ନେଇ ସବୁଠି ଚର୍ଚ୍ଚା । ଭ୍ରମଣକାରୀ ଦ.ଆଫ୍ରିକା ଓ ଘରୋଇ ଭାରତ ମଧ୍ୟରେ ଚାଲିଥିବା ଟି-୨୦ ସିରିଜକୁ ନେଇ ଦର୍ଶକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହପରିଲଖିତ ହୋଇଛି । ବିଶେଷ କରି ଓଡିଶାରେ ଅଦ୍ଭୂତପୂର୍ବ ଆଗ୍ରହ ପ୍ରକାଶ ପାଇଛି । କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବ । ୫ ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଭାରତ ପ୍ରତିପକ୍ଷ ଦ.ଆଫ୍ରିକା ଠାରୁ ପରାସ୍ତ ହୋଇଥିଲା । ଫଳରେ ଘରୋଇ ଭାରତ ସିରିଜରେ ୧-୦ରେ ପଛୁଆ ରହିଛି । ତେଣୁ ବାରବାଟୀ ମ୍ୟାଚ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ଓଡିଶାର ଗର୍ବ ଓ ଗୌରବ ହୋଇଛି ବାରବାଟୀ ଷ୍ଟାଡିୟମ । ଏହା ମଧ୍ୟ ଦେଶର ଅନ୍ୟତମ ଜଣାଶୁଣା ଅନ୍ତର୍ଜାତୀୟ ଷ୍ଟାଡିୟମ । ବର୍ତ୍ତମାନ ସୁଦ୍ଧା ଏହି ଷ୍ଟାଡିୟମରେ ୨ଟି ଟେଷ୍ଟ, ୧୯ଟି ଦିନିକିଆ ଓ ୨ଟି -ଟି୨୦ ମ୍ୟାଚ ଅନୁଷ୍ଠିତ ହୋଇସାରିଛି । ଭାରତ ପାଇଁ ଏହି ଷ୍ଟାଡିୟମ ଲକି ଷ୍ଟାଡିୟମ ଭାବେ ବେଶ ପରିଚିତ । ବାରବାଟୀ ଷ୍ଟାଡିୟମରେ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ୧୯୮୨ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିଲା । ଯାହା ଥିଲା ଦିନିକିଆ ମ୍ୟାଚ । ଅନ୍ୟପଟେ ପ୍ରଥମ ଟେଷ୍ଟ ଏହି ଗ୍ରାଉଣ୍ଡରେ ୧୯୮୭ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା । ଏହି ଚର୍ଚ୍ଚିତ ଷ୍ଟାଡିୟମରେ ଅନ୍ତିମ ଅର୍ନ୍ତଜାତୀୟ ମ୍ୟାଚ ୨୦୧୯ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିଲା ।
ବାରବାଟୀ ଷ୍ଟାଡିୟମରେ ଭାରତ ଦୁଇଟି ଟି-୨୦ ଖେଳିସାରିଛି । ସେଥିରୁ ଗୋଟିଏ ମ୍ୟାଚରେ ଜିତିଥିଲା ବେଳେ ଅନ୍ୟଟିରେ ପରାସ୍ତ ହୋଇଛି । ୨୦୧୫ରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ଭ୍ରମଣକାରୀ ଦ.ଆଫ୍ରିକା ଠାରୁ ପରାସ୍ତ ହୋଇଥିଲା । ସେହିପରି ବାରବାଟୀରେ ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲା ଭାରତ । ଏହି ମ୍ୟାଚରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ବିଜୟୀ ହୋଇଥିଲା । ତେଣୁ ଜୁନ୍ ୧୨ ତାରିଖରେ ହେବାକୁ ଥିବା ଟି୨୦ ମ୍ୟାଚରେ ଦ.ଆଫ୍ରିକାକୁ ପରାସ୍ତ କରି ବାରବାଟୀରେ ବିଜୟ ଧାରା ବଜାୟ ରଖିବାକୁ ଆଶା ରଖିଛି ଟିମ୍ ଇଣ୍ଡିଆ ।
2022-06-11

