ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶା ବିଧାୟକ ଦଳ

ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ବିଧାୟକ ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି । ଏହାସହ ମହାମହିମଙ୍କୁ ଓଡ଼ିଶା ବିଧାନସଭା ପକ୍ଷରୁ ଜଗନ୍ନାଥଙ୍କ ମହାପ୍ରସାଦ, ରୂପାର ଜଗନ୍ନାଥଙ୍କ ମୂର୍ତ୍ତି, ଓଡ଼ିଶାର କଳା ସଂସ୍କୃତି ଉପରେ ଅନେକ ଚିତ୍ର ଉପହାର ସ୍ୱରୂପ ଦିଆଯାଇଛି।
ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ୨୪ ଜଣିଆ ବିଧାୟକ ଦଳ ଦିଲ୍ଲୀ ଯାଇଛନ୍ତି । ଏହି ଟିମରେ ବିଜେଡିର ୧୫, ବିଜେପିର ୬, କଂଗ୍ରେସର ୩ ଓ ସିପିଆଇଏମର ଜଣେ ବିଧାୟକ ସାମିଲ ହୋଇଛନ୍ତି। ପୂର୍ବରୁ ଓଡ଼ିଶା ବିଧାନସଭାର ସଦସ୍ୟ ଥିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଗୃହରେ ମନ୍ତ୍ରୀ ଭାବେ ମଧ୍ୟ ନିଜର ଦକ୍ଷତା ଦେଖାଇ ସାରିଛନ୍ତି ଦ୍ରୌପଦୀ ମୁର୍ମୁ । ବର୍ତ୍ତମାନ ଦେଶର ସବୋର୍ଚ୍ଚ ପଦରେ ଅଧିଷ୍ଠିତ ହେବା ପରେ ତାଙ୍କୁ ରାଷ୍ଟ୍ରପତି ଭବନରେ ଭେଟି ଶୁଭେଚ୍ଛା ଜଣାଇବା ସହ ଓଡ଼ିଶା ବିକାଶଧାରାକୁ ଆଗକୁ ନେବାକୁ ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ଓ ବିଧାୟକ।

ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ବିରୋଧୀ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଦେବୀ ମିଶ୍ର, ସୁଦାମ ମାର୍ଣ୍ଡି, ଶାରଦା ପ୍ରସାଦ ନାୟକ, ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ରସାରଥୀ ବେହେରା, ପଦ୍ମିନୀ ଦିଆନ ପ୍ରମୁଖ ରହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଧାୟକ ସନ୍ତୋଷ ସିଂ ସାଲୁଜା, ସୁବାସ ପାଣିଗ୍ରାହୀ, ନିତ୍ୟାନନ୍ଦ ଗଣ୍ଡ, ସୁଧୀର ସାମଲ, ମନୋହର ରନ୍ଧାରୀ, ରାଜେନ୍ଦ୍ର ସାହୁ, ରାଜ କିଶୋର ଦାସ, ଅନନ୍ତ ନାରାୟଣ ଜେନା, ରମେଶ ଚନ୍ଦ୍ର ବେହେରା, ନାଉରୀ ନାଏକ ଏବଂ କୁସୁମ ଟେଟେ ପ୍ରମୁଖ ସାମିଲ ଅଛନ୍ତି। ଏଥି ସହିତ ବିଧାନସଭା ସଚିବାଳୟ ପକ୍ଷରୁ ସଚିବ ଦାଶରଥୀ ଶତପଥୀ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଦୀନକୃଷ୍ଣ କର, ଓଏସ୍‍ଡି ବିଜୟ କୁମାର ସାହୁ ଏବଂ ସେକ୍ସନ ଅଫିସର ବିଭୂତି ଭୂଷଣ ପଟ୍ଟନାୟକ ମଧ୍ୟ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି।

Leave a Reply

Your email address will not be published. Required fields are marked *