ଓଡିଶା ଇନଭେଷ୍ଟର୍ସ ମିଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ Naveen Patnaikଙ୍କ ଉଦବୋଧନ

ସମସ୍ତ କ୍ଷେତ୍ରରେ ଓଡିଶା ଦ୍ରୁତ ଗତିରେ ଆଗେଇ ଚାଲିଛି । ଆଗାମୀ ୧୦ ବର୍ଷରେ ଉଚ୍ଚ ଅଭିବୃଦ୍ଧି ହାସଲ କରିବ
ପ୍ରଚୁର ପ୍ରାକୃତି ସମ୍ପଦ, ଦକ୍ଷ ମାନବ ସମ୍ବଳ, ସ୍ଥିର ଶାସନ ପାଇଁ ଓଡିଶା, ନିବେଶର ପ୍ରମୁଖ ସ୍ଥାନ
ଦେଶର ଟପ୍ ଆଇଟି କମ୍ପାନୀ ଭୁବନେଶ୍ୱରରେ ସେଂଟର ଖୋଲିଲେଣି
ଷ୍ଟାର୍ଟ ଅପ୍ ବ୍ୟବସ୍ଥାକୁ ରାଜ୍ୟ ସରକାର ଲଗାତର ସହଯୋଗ ଦେଇ ଆସୁଛନ୍ତି
ଇଜ୍ ଅଫ୍ ଡୁଇଙ୍ଗ ବିଜିନେସରେ ଆଚିଭର୍ ବର୍ଗରେ ରାଜ୍ୟ
ଓଡିଶାରେ, ସାରା ଦେଶ ତୁଳନାରେ ନିବେଶକଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ

ଓଡ଼ିଶାର ସାମର୍ଥ୍ୟ ହେଉଛି ଏହାର ପ୍ରାକୃତିକ ସଂପଦ, ଦକ୍ଷ ମାନବ ସମ୍ବଳ ଓ ସ୍ଥିର ସରକାର । ଏଥିପାଇଁ ଓଡ଼ିଶା ଏବେ ନିବେଶ ଓ ଶିଳ୍ପ କ୍ଷେତ୍ରରେ ଦେଶର ଏକ ପସନ୍ଦଯୋଗ୍ୟ କେନ୍ଦ୍ରରେ ପରିଣତ ହୋଇଛି । ଓଡ଼ିଶା ଏବେ ଟେକ-ଅଫ ସ୍ତରରେ ଅଛି ଅର୍ଥାତ ଉଡ଼ିବା ଆରମ୍ଭ କରିଛି ଓ ଆସନ୍ତା ୧୦ ବର୍ଷରେ ଉଚ୍ଚ ଅଭିବୃଦ୍ଧି ହାସଲ କରବ ବୋଲି ହାଇଦ୍ରାବାଦରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦ, କୁଶଳୀ ମାନବସମ୍ବଳ ଏବଂ ସ୍ଥିର ପ୍ରଶାସନ ନିବେଶକଙ୍କ ପାଇଁ ଓଡ଼ିଶାକୁ ଆକର୍ଷଣୀୟ ନିବେଶ ସ୍ଥାନରେ ପରିଣତ କରିଛି । ଅନୁକୂଳ ଶିଳ୍ପ ନୀତି, ଦୃଢ଼ ଓ ସ୍ଥିର ପ୍ରଶାସନ ଯୋଗୁଁ ଓଡ଼ିଶା ପ୍ରତି ଶିଳ୍ପପତି, ନିବେଶକଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିଛି । ଓଡ଼ିଶା ଶିଳ୍ପ ସମୂହ ଓ ନିବେଶର ପ୍ରମୁଖ ପେଣ୍ଠସ୍ଥଳି ପାଲଟିଛି । ଉଚ୍ଚ ଅଭିବୃଦ୍ଧି ହାର ସହ ଇଜ୍ ଅଫ୍ ଡ଼ୁଇଂ ବିଜିନେସ କ୍ଷେତ୍ରରେ ଓଡ଼ିଶା ବହୁ ବଡ଼ରାଜ୍ୟକୁ ଅତିକ୍ରମ କରି ଶୀର୍ଷ ଅଭିମୁଖେ ଯାତ୍ରା କରୁଛି । ସମ୍ପ୍ରତି ଶିଳ୍ପାୟନର ନୂଆ ଯୁଗ ଆରମ୍ଭ ହୋଇଛି । ଯେଉଁଥିରେ ଉନ୍ନତ ବୈଷୟିକ ଶିକ୍ଷା ଓ ନିରନ୍ତର ବିକାଶର ଏକ ଦର୍ଶନ ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ରୂପାନ୍ତରଣରେ ସହଭାଗୀ ହେବା ନିମନ୍ତେ ଆଗାମୀ ‘ମେକ୍ ଇନ୍ ଓଡ଼ିଶା’ କନ୍‌କ୍ଲେଭ୍‌ରେ ଯୋଗ ଦେବାକୁ ‘ପର୍ଲ ସିଟି’ ହାଇଦ୍ରାବାଦରେ ଦେଶ ବିଦେଶର ନିବେଶକ, ଶିଳ୍ପଗୋଷ୍ଠୀର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସୋମବାର ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦରେ ୪୫୦ରୁ ଊର୍ଦ୍ଧ୍ବ ବିଭିନ୍ନ ଶିଳ୍ପଗୋଷ୍ଠୀ ଓ ନିବେଶକଙ୍କୁ ଶିଳ୍ପ ସମୃଦ୍ଧ ଓଡ଼ିଶାର ଶିଳ୍ପାୟନର ଛବି, ରାଜ୍ୟର ଶିଳ୍ପ ନୀତି, ଶିଳ୍ପ ନିମନ୍ତେ ଅନୁକୂଳ ପରିବେଶ ସମ୍ପର୍କରେ ଅବଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଗତ କିଛି ଦଶନ୍ଧିରେ ହାଇଦ୍ରାବାଦ ବୈଷୟିକ ବିଦ୍ୟା, ଫାର୍ମା ଏବଂ ବିନିର୍ମାଣ ତଥା ମ୍ୟାନୁଫାକଚରିଂ କ୍ଷେତ୍ରରେ ପ୍ରମୁଖ ପେଣ୍ଠସ୍ଥଳୀ ହୋଇପାରିଛି। ସହରର ଔଦ୍ୟୋଗିକ ଅଭିବୃଦ୍ଧି ପ୍ରତି ସକରାତ୍ମକ ମାନସିକତା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି। ଓଡ଼ିଶା ଏବେ ଦେଶର ଅନ୍ୟତମ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହୋଇଛି । ଶିଳ୍ପାୟନକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଶିଳ୍ପ ଅନୁକୂଳ ପରିବେଶ ଯୋଗୁଁ ବହୁ ବଡ଼ବଡ଼ ଶିଳ୍ପସଂସ୍ଥା ଓଡ଼ିଶାରେ ନିବେଶ ନିମନ୍ତେ ଆଗ୍ରହପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ଇଜ୍ ଅଫ୍ ଡୁଇଙ୍ଗ୍ ରାଙ୍କିଙ୍ଗରେ ଓଡ଼ିଶା ଆଚିଭର୍ସ ବର୍ଗରେ ସ୍ଥାନ ପାଇଛି।
ଏହି ପରିପ୍ରେକ୍ଷୀରେ ନିବେଶକଙ୍କ ପାଇଁ ଆଗାମୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ। ଓଡ଼ିଶାର ଅଭିବୃଦ୍ଧିର କାହାଣୀ ଏଥିରେ ବ୍ୟାଖ୍ୟାନ ହେବ ଏବଂ ନିବେଶକଙ୍କ ପାଇଁ ଓଡ଼ିଶା ସରକାର କ’ଣ କରିଛନ୍ତି ଓ କ’ଣ କରୁଛନ୍ତି ତାହା ଜାଣିବାରେ ସହାୟକ ହେବ। ଏହି ଫୋରମ୍ ଦ୍ୱାରା ସାରା ବିଶ୍ୱର ନିବେଶକ, ଶିଳ୍ପ ନେତୃବୃନ୍ଦ ଏବଂ ଶିଳ୍ପ ଚିନ୍ତକ ଭବିଷ୍ୟତ ନେଇ ଆଲୋଚନା କରିପାରିବେ। ରାଜ୍ୟରେ ରୋଜଗାର ସୃଷ୍ଟି କରୁଥିବା ଶିଳ୍ପ ଅଭିବୃଦ୍ଧି ବ୍ୟବସ୍ଥାକୁ ସରକାର ପ୍ରାଥମିକତା ଦେଇଥାନ୍ତି। ଏହାକୁ ଆଗାମୀ ଦିନରେ ଜାରି ରଖିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଆସନ୍ତା ନଭେମ୍ବର ୩୦ ତାରିଖ ଠାରୁ ଡିସେମ୍ବର ୨୦୨୨ ଯାଏଁ ଏହି କନକ୍ଲେଭ ଆୟୋଜିତ ହେଉଛି। ଏହା ଆଗାମୀ ଦିନରେ ରାଜ୍ୟରେ ନୂଆ ଶିଳ୍ପାୟନ ଯୁଗର ବାର୍ତ୍ତାବହ ହେବ ବୋଲି ଆଶା କରାଯାଉଛି। ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ଯୋଗଦାନ ନିମନ୍ତେ ଆପଣମାନଙ୍କୁ ନିମନ୍ତ୍ରଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *