ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରେଳଷ୍ଟେସନ୍ ନବୀକରଣ ପାଇଁ ଭିତ୍ତପ୍ରସ୍ତର ସ୍ଥାପନ ଏବଂ ଭୂମିପୂଜନ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଟବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୂମିପୂଜନ କରିଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଜଟଣୀ ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ଏହି ଉତ୍ସବରେ ଯୋଗଦେଇଥିଲେ ।
ରେଳଯାତ୍ରୀଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇବା ଲକ୍ଷ୍ୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୦୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି କାର୍ଯ୍ୟ ୨୪ ମାସରେ ସରିବ । ଏଥିପାଇଁ ଟେଣ୍ଡର ସରିଛି । ଖୁବ ଶୀଘ୍ର କାମ ଆରମ୍ଭ ହେବ । ଏହି ରେଳଷ୍ଟେସନ୍ ଜର୍ମାନୀ, ଜାପାନ ରେଳଷ୍ଟେସନ୍ ଭଳି ହେବ । ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ, ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହୃଦୟ ଖୋଲା । ରାଜ୍ୟରେ ୩୬ ଟି ଷ୍ଟେସନ୍ ର ନବୀକରଣ ପାଇଁ ମଞ୍ଜୁର କରିଛନ୍ତି । ପ୍ରତି ଜିଲ୍ଲାରେ ବିଶ୍ୱସ୍ତରୀୟ ରେଳଷ୍ଟେସନ୍ ହେବ । ଓଡ଼ିଶାରେ ଜଗନ୍ନାଥ ସର୍କିଟ୍ ଟ୍ରେନ୍ ଚାଲିବ ବୋଲି ଘୋଷଣା କରିଥିଲେ । ଧାମନଗରର ନବନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ଦାବି ଅନୁଯାୟୀ ଭଦ୍ରକକୁ ଏକ ନୂଆ ପାସେଞ୍ଜର ଟ୍ରେନ୍ ଚଳାଚଳ କରିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଟବ ।
ଶ୍ରୀ ବୈଷ୍ଣବ ତାଙ୍କ ଭାଷଣରେ ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆନ୍ତରିକତା କଥା କହିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନକୁ ମଧ୍ୟ ଉଲ୍ଲେଖ କରିଥିଲେ । ଏହି ଅବସରରେ ସେ ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ୫ ଜି କାମ ଶେଷ ହେବାର ପ୍ରତିଶ୍ରୁତି ଦେଇଥିଲେ । ଟେଲିକମ୍ ରେ ଓଡ଼ିଶା ଅବହେଳା ନେଇ ଯେଉଁ ଅଭିଯୋଗ ହେଉଥିଲା ତାହାର ପରିସମାପ୍ତି ଘଟିଛି ବୋଲି ସେ ଜଣାଇବା ସହ ମୋଦି ସରକାର ଟେଲିକମ୍ ରେ ଓଡ଼ିଶାକୁ ୫,୬୦୦ କୋଟି ଟଙ୍କା ଦେଇଥିବା କହିଥିଲେ ।
ରେଳକୁ ନେଇ ରାଜନୀତି ନ କରିବାକୁ ସେ ଆହ୍ୱାନ ଜଣାଇ ଓଡ଼ିଶାରେ ରେଳ ବିକାଶର ତଥ୍ୟ ରଖିଥିଲେ । କଂଗ୍ରେସ କାଳରେ ବର୍ଷକୁ ୨୦ ରୁ ୩୦ କିମି ନୂଆ ଲାଇନ୍ ହେଉଥିଲା । ବର୍ତ୍ତମାନ ବର୍ଷକୁ ୩୦୦ କିମି ପର୍ଯ୍ୟନ୍ତ ନୂଆ ଲାଇନ ନିର୍ମାଣ ହେଉଛି । ପୂର୍ବରୁ ରେଲୱେ ପାଇଁ ୮୦୦ କୋଟି ମିଳୁଥିଲା । ଏବେ ୧୦ ହଜାର କୋଟି ମିଳୁଛି ବୋଲି ରେଳମନ୍ତ୍ରୀ କହିଥିଲେ ।
ଉତ୍ସବରେ ଭାଷଣ ଦେଇ କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଯୋଶୀ ଓଡ଼ିଶାକୁ ଖଣି କ୍ଷେତ୍ରରେ ମିଳୁଥିବା ରାଜସ୍ୱ ନେଇ ସୂଚନା ଦେଇଥିଲେ । ୨୦୧୪-୧୫ ରେ ଓଡ଼ିଶାକୁ କେବଳ ୫ ହଜାର କୋଟି ରାଜସ୍ୱ ମିଳୁଥିଲା । ନିଲାମ ପ୍ରକ୍ରିୟାରେ ସଂଶୋଧନ ପରେ ଆଜି ୫୦ ହଜାର କୋଟି ମିଳୁଛି ବୋଲି କହିଥିଲେ ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ଓଡ଼ିଶା ପ୍ରତି ଆନ୍ତରିକତାକୁ ପ୍ରଶଂସା କରିଥିଲେ । ଏହି ଅବସରରେ ବିଜେଡିର କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ସମାଲୋଚନା କରିଥିଲେ । କହିଥିଲେ, ଦୟାକରି କେନ୍ଦ୍ରୀୟ ଅବହେଳା କଥା ନ କହି ବିକାଶରେ ସାମିଲ ହୁଅନ୍ତୁ । ମୋଦି ସରକାର ଲାଇଟେନିଂ ସ୍ପିଟ୍ ରେ କାମ କରୁଛନ୍ତି । ଭଦ୍ରକକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ବିଧାୟକ ସୂର୍ଯ୍ୟବଂଶୀଙ୍କ ପ୍ରସ୍ତାବର ଦେଢ଼ଘଣ୍ଟା ପରେ ଦାବି ପୂରଣ ହୋଇଛି । ଆଗରୁ ଆମ ରାଜ୍ୟର ଖଣି ଖାଦାନରୁ ଦିଲ୍ଲୀ ପୁଞ୍ଜିପତିଙ୍କ ପକେଟ ଭରୁଥିଲା । ଏବେ ଖଣି ନିଲାମ ଟଙ୍କା ଆମ ରାଜଧାନୀରେ ରହୁଛି । ଡିଏମଏଫ ପାଣ୍ଠି ମୋଦୀଙ୍କ ପୂର୍ବରୁ ଶୂନ ଥିଲା । ଏବେ ବର୍ଷକୁ ୧୫ ହଜାର କୋଟି ମିଳୁଛି । ଭୁବନେଶ୍ୱରକୁ ସିଲଭର ସିଟି କରିବାକୁ ଲକ୍ଷ୍ୟ ରହିଥିବା ସେ କହିଥିଲେ ।
ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନ୍ ଚାଳଚଳର ଶୁଭାରମ୍ଭ: ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଏବଂ ଅନ୍ୟ ଅତିଥିମାନେ ପତାକା ହଲାଇ ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଥିଲେ । ଏହି ପାସେଞ୍ଜର ଟ୍ରେନ୍ ରେ ୮ଟି ବଗି ରହିଛି । ଏହା ପୁରୀରୁ ପ୍ରତିଦିନ ଅପରାହ୍ନ ୧ଟା ୧୫ ରେ ଏବଂ ଜଳେଶ୍ୱରରୁ ସକାଳ ୪ଟା ୫୦ ରେ ପୁରୀ ଅଭିମୁଖେ ଯାତ୍ରା କରିବ ।

