ମାଗଣା ଚାଉଳରେ ଲାଗିବ ଷ୍ଟିକର

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ କେନ୍ଦ୍ର ସରକାର ଯେଉଁ ମାଗଣା ଚାଉଳ ବଣ୍ଟନ କରିବେ ସେହି ଯୋଜନାର ନାଁକୁ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । କୋଭିଡ୍ ସମୟରେ ଗରିବ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାସକୁ ୫ କେଜି ଲେଖାଏଁ ମାଗଣା ଚାଉଳ ବଣ୍ଟା ଯାଉଥିଲା । ଜାନୁଆରୀ ୧ ତାରିଖରୁ ଏହାକୁ ବନ୍ଦ କରି ଦିଆଯାଇଛି । ଆଉ ଖାଦ୍ୟ ସୁରକ୍ଷା ଯୋଜନାରେ ଯେଉଁ ଚାଉଳ ୧ ଟଙ୍କାରେ ମିଳୁଥିଲା, ତାକୁ ମାଗଣା କରିଦେଇଛନ୍ତି କେନ୍ଦ୍ର ସରକାର |

ଗତକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ମାଗଣା ଚାଉଳ ଯୋଜନାର ନାଁକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କରାଯାଇଛି । ଏହି ଯୋଜନାରେ ଦିଆଯାଉଥିବା ଚାଉଳର ମୂଲ୍ୟ କିଲୋ ପିଛା ୩୨ ଟଙ୍କା ୯୧ ପଇସା । ଏଥିରୁ କେନ୍ଦ୍ର ୨୯ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ୨ ଟଙ୍କା ୭୬ ପଇସା ଓ ହିତାଧିକାରୀ ୧ ଟଙ୍କା ଦେଉଥିଲେ । ଏଣିକି ସବୁ ଟଙ୍କା କେନ୍ଦ୍ର ସରକାର ଦେବେ । ଏହି ଯୋଜନା ଫଳରେ ରାଜ୍ୟର ୩ କୋଟି ୨୪ ଲକ୍ଷ ୫୭୪ ଲୋକ ଉପକୃତ ହେବେ ।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ନେବା ବେଳେ ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର ରସିଦ୍। ହିତାଧିକାରୀଙ୍କୁ ରସିଦ ଦେବାକୁ କେନ୍ଦ୍ର ସରକାର ସବୁ ରାଜ୍ୟମାନଙ୍କୁ ଚିଠ ଲେଖି ଅବଗତ କରାଇଛନ୍ତି । ଯଦି ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ହିତାଧିକାରୀଙ୍କୁ କୌଣସି ଅତିରିକ୍ତ ଚାଉଳ ଦେଉଥିବେ, ତେବେ ଏହାର ଏକ ଅଲଗା ରସିଦ ପ୍ରସ୍ତୁତ କରିବା ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଯଦି କେନ୍ଦ୍ର ପକ୍ଷରୁ ଚାଉଳ ଦିଆଯାଉଛି, ତା’ହେଲେ ହିତାଧିକାରୀଙ୍କୁ ଦି‌ଆଯିବାକୁ ଥିବା ରସିଦରେ ସ୍ପଷ୍ଟ ଭାବେ ଏହା କେନ୍ଦ୍ର ସରକାରଙ୍କ ମାଗଣା ସ୍କିମ ବୋଲି ଉଲ୍ଲେଖ ରହିବ। ଏହାସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ସବ୍‌ସିଡି ସମ୍ପର୍କରେ ମଧ୍ୟ ସ୍ପଷ୍ଟ ଭାବେ ଲେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଖୁବଶୀଘ୍ର ରସିଦ ବଣ୍ଟନର ଗୋଟିଏ ଫର୍ମାଟ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡ଼ିକ ନିକଟକୁ ପଠାଇ ଦିଆଯିବ। ଏହାବାଦ ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ବାୟୋମେଟ୍ରିକ ବ୍ୟବସ୍ଥା କରିବାକୁ କୁହାଯାଇଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣା ଚାଉଳ ଦିଆଯାଉଥିବା କଥା ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତ ଡିଲର ଓ ଫିଲ୍ଡ ଅଫିସରମାନଙ୍କୁ ବି କୁହାଯାଇଛି। ଏହାଦ୍ୱାରା ହିତାଧିକାରୀମାନେ ସରକାରଙ୍କ ମାଗଣା ଖାଦ୍ୟ ସାମଗ୍ରୀ ବଣ୍ଟନ ବିଷୟରେ ଅଧିକ ସଚେତନ ହୋଇପାରିବେ ଓ ଲାଭ ଉଠାଇ ପାରିବେ ବୋଲି ଚିଠିରେ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *