ଭୁବନେଶ୍ୱର: ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାକ୍ଷାତ କରିଛନ୍ତି । ନବୀନ-ମମତା ସାକ୍ଷାତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ମମତାଙ୍କୁ ଶ୍ରୀଜିଉଙ୍କ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କରିଥିଲେ ନବୀନ ପଟ୍ଟନାୟକ। ଏହା ସହ ମମତାଙ୍କୁ ତିନି ରଥର ରୂପାର ତିନୋଟି ପ୍ରତିକୃତି ଓ ଛେନାପୋଡ଼ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଥିଲେ। ତେବେ ଏହି ସାକ୍ଷାତକାର ସୌଜନ୍ୟମୂଳକ ଥିଲା ବୋଲି ନବୀନ କହିଥିଲେ। ଆମ ଭିତରେ ବହୁତ ପୁରୁଣା ବନ୍ଧୁତ୍ୱ, ସୁନ୍ଦର ସଂପର୍କ ରହିଛି। ଏହା ସୌଜନ୍ୟମୂଳକ ସାକ୍ଷାତ, କିଛି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଚର୍ଚ୍ଚା ହୋଇନି ଏବଂ ମମତା ପୁରୀ ଗସ୍ତରେ ଆସିଥିବାରୁ ମୁଁ ବହୁତ ଖୁସି ବୋଲି କହିଥିଲେ ନବୀନ ପଟ୍ଟନାୟକ।
ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ମମତା ବାନାର୍ଜୀ କହିଥିଲେ ଯେ, ମୁଁ ଆଗରୁ ମଧ୍ୟ ନବୀନ ନିବାସ ଆସିଛି । ମୁଁ ପ୍ରଥମ ଥର ଲୋକସଭା ସଦସ୍ୟ ହେବା ପରେ ବିଜୁ ବାବୁ ମୋତେ ନିମନ୍ତ୍ରଣ କରିଥିଲେ। ସେ ସମୟରେ ମୁଁ ନବୀନ ନିବାସ ଆସିଥିଲି । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣରେ ନବୀନ ନିବାସ ଆସିଥିଲି। ନବୀନଙ୍କ ଆତିଥେୟତାରେ ମୁଁ ଖୁସି । ଏହା ଏକ ସୌଜନ୍ୟତାମୂଳକ ସାକ୍ଷାତକାର ଥିଲା । ଏଥିରେ କୌଣସି ରାଜନୈତିକ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇ ନ ଥିଲା ବୋଲି କହିଥିଲେ ମମତା ।
ଏହା ସହିତ ସେ ପୁରୀରେ ବଙ୍ଗୀୟ ତୀର୍ଥଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଦେଇଥିବା ୨ ଏକର ଜମି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ପୁରୀରେ ରାଜ୍ୟ ସରକାର ଯେଉଁଭଳି ଭାବେ ତାଙ୍କୁ ଆତିଥେୟତା ଦେଇଥିଲେ ସେଥିପାଇଁ ମଧ୍ୟ ସେ ପ୍ରଶାସନିକ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଓଡ଼ିଶା ଓ ପଶ୍ଚିମବଙ୍ଗ ପଡୋଶୀ ରାଜ୍ୟ । ଏଠାରେ ବାତ୍ୟା ଆସିଲେ ସେହି ବାତ୍ୟା ପଶ୍ଚିମବଙ୍ଗକୁ ମଧ୍ୟ ଯାଏ । ଏମିତିରେ ଆମ ମଧ୍ୟରେ ସହଯୋଗ ଜରୁରୀ ବୋଲି ସେ କହିଥିଲେ । ଆଇରନ୍ ଓରକୁ ନେଇ ପଶ୍ଚିମବଙ୍ଗ-ଓଡ଼ିଶା ଇଣ୍ଡଷ୍ଟ୍ରିଆଲ କରିଡର ପ୍ରତିଷ୍ଠା କଥା ମଧ୍ୟ କହିଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗର ଦୀଘାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି ଓ ସେଠାକୁ ଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ମମତା ବାନାର୍ଜୀ । ନବୀନଙ୍କୁ ଜଣେ ଶକ୍ତିଶାଳୀ ରାଜନୈତିକ ନେତା ଭାବେ ବର୍ଣ୍ଣନା କରିଛନ୍ତି ମମତା । ୨୦୨୪ ସାଧାରଣ ନିର୍ବାଚନକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ମମତା ବାନାର୍ଜୀ କହିଥିଲେ ଯେ, ନିର୍ବାଚନକୁ ଆହୁରି ବର୍ଷେ ଅଛି । ଏବେଠାରୁ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ ।
ତିନି ଦିନିଆ ଓଡିଶା ଗସ୍ତରେ ଆସିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଓଡ଼ିଶା ଗସ୍ତରେ ଆସିଥିବା ମମତା ବାନାର୍ଜୀ ଗତ ୨୧ ତାରିଖ ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ସଡ଼କପଥ ଦେଇ କଡ଼ା ସୁରକ୍ଷା ମଧ୍ୟରେ ପୁରୀରେ ପହଞ୍ଚିଥିଲେ। ସମୁଦ୍ର କୂଳ ନିକଟ ନିର୍ବାଣ ନିବାସରେ ଦିଦି ଦୁଇ ଦିନ ଅବସ୍ଥାନ କରିବା ସହ ଶ୍ରୀମନ୍ଦିର ଯାଇ ଜଗନ୍ନାଥ ଦର୍ଶନ କରି ଆଶିଷ ଲାଭ କରିଥିଲେ । ପରେ ପଶ୍ଚିମବଙ୍ଗ ଅତିଥି ଭବନ ପାଇଁ ଜାଗା ଦେଖିଥିଲେ ।

