ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିରେ ଯୋଗଦେଇଛନ୍ତି । ବିଜେଡିର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର ,ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀଙ୍କ ଉପସ୍ଥିତରେ ୪ ବିଜେପି କର୍ପୋରେଟର ବିଜୁ ଜନତା ଦଳରେ ଯୋଗଦେଇଛନ୍ତି ।
ଆଜି ବିଜେଡିରେ ଯୋଗଦେଇଥିବା ୱାର୍ଡ ନମ୍ବର ୨୦ର କର୍ପୋରେଟର ଥିବା ରଞ୍ଜିତା ବେହେରା ବିଜେପି ଛାଡି ବିଜେଡିର ମିଶିଛନ୍ତି । ସେହିପରି ୱାର୍ଡ ନମ୍ବର ୨୧ର କର୍ପୋରେଟର ଡି. କରୁଣାକର ୨୫ ବର୍ଷ ଧରି କାମ କରିବା ପରେ ଅଣଦେଖା ଯୋଗୁଁ ବିଜେଡିରେ ମିଶିଛନ୍ତି । ପ୍ରଦୀପ ଶତପଥୀ ୱାର୍ଡ ନମ୍ବର ୨୨ର କର୍ପୋରେଟର ଥିବାବଳେ ୧୫ ବର୍ଷ ଧରି ବିଜେପିରେ କାମ କରିଆସୁଥିଲେ । କିନ୍ତୁ ବିଜେପିରେ ଅବହେଳିତ ହେବାରୁ ଆଜି ଶଙ୍ଖ ଧରିଛନ୍ତି । ସେହିପରି ଅନ୍ୟତମ କର୍ପୋରେଟର ନୀଳକଣ୍ଠ ସାହୁ ମଧ୍ୟ ବିଜେପି ଛାଡି ବିଜେଡିରେ ଯୋଗଦେଇଛନ୍ତି ।
ବିଜେଡିରେ ଯୋଗଦେବା ପରେ ୪ କର୍ପୋରେଟର କହିଛନ୍ତି ବିଜେପି ପାଇଁ ଦୀର୍ଘବର୍ଷ ହେଲା କଠୋର ପରିଶ୍ରମ କରିଥିଲୁ । ଯେଉଁ ଦଳ ପାଇଁ ବହୁ କଷ୍ଟ କରିଥିଲୁ ସେହି ଦଳ ଅଣଦେଖା କଲା । ଚାକିରି ନାଁରେ ଠକେଇ କରିଥିବା ଲୋକଙ୍କୁ ଆପଣାଇଛି ବିଜେପି । ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି କୋଳେଇ ନେଇଛି । ଏହାକୁ ବିରୋଧ କରି ବିଜେପି ସହ ସମ୍ପର୍କ ଛିଡ଼ାଇଛୁ । ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାରେ ସାମିଲ ହେବାକୁ ନିଷ୍ପତ୍ତି ନେଲୁ ବୋଲି କହିଛନ୍ତି ବିଜେଡିରେ ଯୋଗଦେଇଥିବା ଏହି କର୍ପୋରେଟର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ବିଜେଡିରେ ସାମିଲ ହୋଇଥିବା ସେମାନେ କହିଛନ୍ତି ।

