ବିଜେପି କେବଳ ନାମ ଓ ରଙ୍ଗ ପରିବର୍ତ୍ତନ କରିପାରିବ, ରାଜ୍ୟର ଇତିହାସକୁ ନୁହେଁ: ନବୀନ

ଅକଟୋବର ଦୁଇ ତାରିଖ,ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ର ପଦଯାତ୍ରା ଆରମ୍ଭ ହୋଇଛି.ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳ ର ୫୭ ନମ୍ବର ୱାର୍ଡ ରେ ପଦଯାତ୍ରା ଆରମ୍ଭ କରି ସମବେତ ବିପୁଳ ଜନତା ଙ୍କୁ ସମ୍ବୋଧନ କରି ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ , ବିଜେପି ମିଛ ପ୍ରତିଶ୍ରୁତି ଦେଇ ମିଛ କାହାଣୀ କହି ଆଜି ରାଜ୍ୟରେ ଶାସନକୁ ଆସିଛି । ଲୋକ ମାନଙ୍କ ଉଦେ୍ଦଶ୍ୟରେ ପଚାରିଥିଲେ, ୩୦୦ ୟୁନିଟ ମାଗଣା ବିଜୁଳି ପାଉଛନ୍ତି କି ? ତିନି ହଜାର ଟଙ୍କା ଭତ୍ତା କୁଆଡେ ଗଲା? ମା ମାନଙ୍କ ପଚାଶ ହଜାର ଟଙ୍କା କୁଆଡେ ଗଲା ? ନିର୍ବାଚନ ବେଳେ ହାତୀ ଦେବୁ, ଘୋଡା ଦେବୁ କହି ଭୋଟ୍ ନେଲେ । ଏବେ ବିଜେପିର ମିଛ ଧରା ପଡିଯାଇଛି । ଦରଦାମ ବଢି ଚାଲିଛି । ମା ମାନେ ଥାନାରେ ବି ସୁରକ୍ଷିତ ନୁହନ୍ତି । ସରକାରୀ କର୍ମଚାରୀ ରାଜଭବନରେ ସୁରକ୍ଷିତ ନୁହନ୍ତି । ଏ ବିଜେପି ସରକାର ଉପରେ ଲୋକ ଭରସା କରିପାରୁ ନାହନ୍ତି । ସେମାନେ ମିଛ କହି ନିର୍ବାଚନ ଜିତି ପାରନ୍ତି, କିନ୍ତୁ ଲୋକଙ୍କ ହୃଦୟ ନୁହେଁ । ମିଛ ହେଉଛି ବିଜେପିର ପରିଚୟ ବୋଲି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ।
ନବୀନ କହିଥିଲେ, ଆଜି ଗାନ୍ଧୀ ଜୟନ୍ତୀରେ ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେଲା । ଏ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ଲୋକଙ୍କ ସହ ଯୋଡି ହେବା ପାଇଁ ପଦଯାତ୍ରା ହେଉଛି ସବୁଠାରୁ ଶକ୍ତିଶାଳୀ ମାଧ୍ୟମ । ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନେ୍ଦାଳନରେ ପରିଣତ ହୋଇଛି । ଆମେ ସବୁବେଳେ ଲୋକଙ୍କ ସୁଖ ଦୁଃଖରେ ଲୋକଙ୍କ ସାଥିରେ ରହି ଆସିଛୁ । ସେବା ଓ ସ୍ୱାଭିମାନ ହେଉଛି ଆମର ମନ୍ତ୍ର । ବିକାଶ ଆମର ପରିଚୟ । ବିଜୁ ଜନତା ଦଳ କାମରେ ବିଶ୍ୱାସ କରେ । ଗତ ଚବିଶ ବର୍ଷ ଭିତରେ ବିଜୁ ଜନତା ଦଳ ଓଡିଶାର ବିକାଶ ପାଇଁ ଅନେକ କାମ କରିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ପୁଞ୍ଜି ବିନିଯୋଗ , ସୁଶାସନ, ଏସସି/ଏସଟି ବର୍ଗର କଲ୍ୟାଣ, ମହିଳା, ଯୁବକ, ଚାଷୀ ସମସ୍ତଙ୍କ ଶସକ୍ତିକରଣ ଆଦି ସବୁ କ୍ଷେତ୍ରରେ ଦୃଶ୍ୟମାନ ଉନ୍ନତି ଆସିଛି । ଅର୍ଥନୈତିକ ସ୍ଥିରତା ଆସିଛି । ଓଡିଶାର ଗରିବୀ ଦୁଇ ହଜାର ମସିହାରେ ୭୦ ପ୍ରତିଶତ ଥିବା ବେଳେ ଆଜି ଏହା ୧୦ ପ୍ରତିଶତକୁ ଖସିଛି । ଆମ ଲୋକଙ୍କ ମୁଣ୍ଡପିଛା ଆୟ ବଢିଛି । ଅନେକ ଡବଲ ଇଂଜିନ ରାଜ୍ୟ ମାନଙ୍କ ଠାରୁ ମଧ୍ୟ ଓଡିଶା ଆଗରେ ଅଛି । ବିକାଶର ସବୁ କ୍ଷେତ୍ରରେ ଆଜି ଓଡିଶା ଭଲ ସ୍ଥିତିରେ ରହିଛି ବୋଲି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ।
ସେ ଆହୁରି କହିଥିଲେ, ଆମ ସରକାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କୋଟି କୋଟି ଲୋକ ଉପକାର ପାଉଥିଲେ । ଏବେ ସରକାର ସେ ଯୋଜନାର ନାମ ପରିବର୍ତ୍ତନ କରି ଦେଇଛନ୍ତି । ଆପଣ ନାମ ଓ ରଙ୍ଗ ପରିବର୍ତ୍ତନ କରିଦେଇ ପାରିବେ, କିନ୍ତୁ ଇତିହାସକୁ ପରିବର୍ତ୍ତନ କରିପାରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ମୁଁ କ୍ଷମତାରେ ଥାଏ ବା ନ ଥାଏ, ଆପଣମାନଙ୍କର ସେବା ମୁଁ ସବୁବେଳେ କରିଆସିଛି ଏବଂ ଶେଷ ପର୍ଯ୍ୟନ୍ତ ଓଡିଶା ମାଟିର, ଓଡିଶାବାସୀଙ୍କ ସେବା କରି ଚାଲିବି ବୋଲି ଦୃଢୋକ୍ତି କରିଥିଲେ । ଓଡିଶାବାସୀଙ୍କ ବିଶ୍ୱାସ ଓ ଭଲପାଇବା ବିଜେଡିର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି । ୨୦୨୪ ନିର୍ବାଚନରେ ବିଜେପି ଯଦିଓ ସରକାର ଗଠନ କରିଛି, ବିଜେଡି ବିଜେପି ଠାରୁ ଅଧିକ ଭୋଟ ପାଇଛି । ବିଜେଡି ରାଜ୍ୟବାସୀଙ୍କ ସେବା କରି ଚାଲିବ ଓ ଆମର ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା ବିଜେପିର ମିଛକୁ ଲୋକଲୋଚନକୁ ଆଣିବେ ବୋଲି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ।
ପଦଯାତ୍ରାରେ ଉପସ୍ଥିତ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଦାୟିତ୍ୱବାନ ବିରୋଧୀ ଦଳ ଭାବରେ ଆମେ ଆମର କର୍ତ୍ତବ୍ୟ ପାଳନ କରିବୁ । ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ହୋଇଥିବା ଲୋକ ହିତକାରୀ ଯୋଜନା ଗୁଡ଼ିକର ନାମ ପରିବର୍ତ୍ତନ ଶାସକ ଦଳ କରିଚାଲିଛି । ବିଜେପିର ଅନ୍ୟାୟ, ଅତ୍ୟାଚାର ବିରୋଧରେ ସାରା ରାଜ୍ୟରେ ସ୍ୱର ଉଠାଇବ ବିଜେଡି । ନବୀନ ବାବୁଙ୍କ ନେତୃତ୍ୱରେ ଏହି ପଦଯାତ୍ରା ପୂର୍ଣ୍ଣ ମାତ୍ରାରେ ଚାଲିଛି, ଆଗକୁ ମଧ୍ୟ ଚାଲିବ । ଏହି ପଦଯାତ୍ରାରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଡେପୁଟି ମେୟରଙ୍କ ସହ ସମସ୍ତ ବିଜେଡି କର୍ପୋରେଟର ମାନେ ସାମିଲ୍ ହୋଇଥିଲେ ।
ଭୁବନେଶ୍ୱର ବ୍ୟତୀତ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ପରେ ବିଜେଡି ତରଫରୁ ପ୍ରଥମ ଜନ ସମ୍ପର୍କ କାର୍ଯ୍ୟକ୍ରମ ହୋଇଥିବାରୁ, ଦଳର କର୍ମୀ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଜନ ସମ୍ପର୍କ ପଦଯାତ୍ରା ଭୁବନେଶ୍ୱର, ବେଗୁନିଆ, କଟକ, ସାଲେପୁର, ଢେଙ୍କାନାଳ, କାମାକ୍ଷାନଗର, ଯାଜପୁର, ବଡଚଣା, ଭଦ୍ରକ, ତାଳଚେର, ବସ୍ତା, ଭୋଗରାଇ, ବ୍ରହ୍ମପୁର, ସାନଖେମୁଣ୍ଡି, ପାରଳାଖେମୁଣ୍ଡି, ରଘୁନାଥପଲ୍ଲୀ, ରାଉରକେଲା ଇତ୍ୟାଦି ସ୍ଥାନରେ ଅନୁଷ୍ଠିତ ହୋଇ ଯାଇଛି । ଏହା ଅକ୍ଟୋବର ଦୁଇରୁ ଆରମ୍ଭ ହୋଇ ଅକ୍ଟୋବର ୬ ପର୍ଯ୍ୟନ୍ତ ଚାଲିବ ଓ ଦୁର୍ଗାପୂଜା ପରେ ଅକ୍ଟୋବର ୨୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave a Reply

Your email address will not be published. Required fields are marked *