ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଗ୍ରାମ ଜଳମଗ୍ନ ହେବ ଓ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି ଏହି ପ୍ରକଳ୍ପ କାମ ଆଗକୁ ବଢ଼ିବା ଉଚିତ ନୁହେଁ ବୋଲି ବିଜୁ ଜନତା ଦଳ ତରଫରୁ ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି । ବିଜେଡିର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଦଳର ସଭ୍ୟ ସଂଗ୍ରହ କମିଟିର ଆବାହକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ଦିନ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବ ଓ ସେଠାରେ ପୋଲାଭରମ ପ୍ରକଳ୍ପ ସମ୍ୱନ୍ଧୀୟ ବିଭାଗର ବିଭିନ୍ନ ଅଧିକାରୀଙ୍କୁ ଭେଟି ଏହି ପ୍ରକଳ୍ପ ହେଲେ ଓଡ଼ିଶାର ହେବାକୁ ଥିବା କ୍ଷତି ସମ୍ପର୍କରେ ଅବଗତ କରିବେ ।
ଶ୍ରୀ ମିଶ୍ର କହିଥିଲେ, ପୋଲାଭରମ ପ୍ରକଳ୍ପ ଆରମ୍ଭ ସମୟରେ ଏହାର ଡିଜାଇନ ୩୬ ଲକ୍ଷ କୁ୍ୟସେକ ଜଳ ରହିବ ବୋଲି କୁହାଯାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହାର କ୍ଷମତା ୫୦ ଲକ୍ଷ କୁ୍ୟସେକକୁ ବଢ଼ାଇ ଦିଆଯାଇଥିଲା । ଏହି ପ୍ରକଳ୍ପର ଜଳଧାରଣ କ୍ଷମତା ବଢ଼ିଯିବା ପରେ ଏହାର ପ୍ରଭାବ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଗୁଡିକରେ, ବିଶେଷକରି ମାଲକାନଗିରି ଜିଲ୍ଲା ଉପରେ କ’ଣ ପ୍ରଭାବ ପଡିବ, ତାହାର ଆକଳନ କରାଯାଇ ନଥିଲା । ତେଣୁ, ୨୦୦୭ ମସିହାରେ ରାଜ୍ୟ ସରକାର ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ । ପରେ, ସର୍ବୋଚ୍ଚ ନ୍ୟାୟାଳୟ ଏହା ଉପରେ ମନ୍ତବ୍ୟ ରଖି ପ୍ରକଳ୍ପର କ୍ଷମତା ବୃଦ୍ଧି ପରେ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଏହାର ପ୍ରଭାବ ଆକଳନ କରିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ । ଏହାପରେ ମଧ୍ୟ ଏହି ବର୍ଦ୍ଧିତ କ୍ଷମତାରେ ପ୍ରକଳ୍ପ ହେଲେ, ପ୍ରକଳ୍ପର ବ୍ୟାକ ୱାଟର ବା ପଛୁଆ ପାଣି କେଉଁ କେଉଁ ଅଞ୍ଚଳକୁ ଜଳମଗ୍ନ କରିବ, ତାହାର ଆକଳନ କରାଯାଇନାହିଁ । ଆଇଆଇଟି ରୁର୍କୀ ଦ୍ୱାରା କରାଯାଇଥିବା ଏକ ଆକଳନରୁ ଜଣାପଡିଛି, ବର୍ଦ୍ଧିତ କ୍ଷମତା ୫୦ ଲକ୍ଷ କୁ୍ୟସେକ ଜଳ ହେଲେ ପଛୁଆ ପାଣିର ଉଚ୍ଚତା ୨୩୨.୨ ମିଟର ହେବ ।
ଶ୍ରୀ ମିଶ୍ର କହିଥିଲେ, ଏହି ପ୍ରକଳ୍ପକୁ ପୁରା କରିବା ପାଇଁ କେନ୍ଦ୍ର ବଜେଟରେ ୧୫ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଥିଲା । ଏହି ଅନୁଦାନ ଘୋଷଣା ପରେ ମାଲକାନଗିରି ଜିଲ୍ଲାର ବାସିନ୍ଦା ମାନଙ୍କ ମଧ୍ୟରେ ନାନା ଆଶଙ୍କା ଦେଖାଯାଇଥିଲା । ମାଲକାନଗିରି ଜିଲ୍ଲାର ବାସିନ୍ଦାଙ୍କ ଆଶଙ୍କାକୁ ସମ୍ମାନ ଜଣାଇ ବିଜେଡିର ସଭାପତି ପ୍ରଥମେ ମାଲକାନଗିରି ଓ ପରେ ପ୍ରକଳ୍ପ ଅଞ୍ଚଳକୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପଠାଇଥିଲେ । ପ୍ରକଳ୍ପ ଅଞ୍ଚଳରେ କାମ ଆରମ୍ଭ କରିବା ପାଇଁ ତତ୍ପରତା ଦେଖିବାକୁ ମିଳିଥିଲା । କିନ୍ତ, ଏହାର ପ୍ରଭାବ କେଉଁ କେଉଁ ଅଞ୍ଚଳ ଉପରେ ପଡିବ ତାହା କେବଳ ସିଡବ୍ଲୁସିର ଅଧିକାରୀ ମାନେ କହିପାରିବେ ବୋଲି ସେଠାକାର ଅଧିକାରୀ ମାନେ କହିଥିଲେ । ବିଶେଷଜ୍ଞ ମାନଙ୍କ ସହ ଆଲୋଚନରୁ ଜଣାପଡିଛି, ଏହି ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଓ ପଡିଆ ଅଞ୍ଚଳର ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ଗ୍ରାମ ଓ ପଡ଼ାଗ୍ରାମ କ୍ଷତିଗ୍ରସ୍ତ ହେବେ ।
ଶ୍ରୀ ମିଶ୍ର ଆହୁରି କହିଥିଲେ, ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ଦିନ ଦିଲ୍ଲୀ ଯାଇ ସେଠାରେ ସିଡବ୍ଲୁସି ଅଧିକାରୀ ତଥା ସଂଲଗ୍ନ ବିଭିନ୍ନ ମନ୍ତ୍ରଣାଳୟ ଓ ନିୟାମକ ଅନୁଷ୍ଠାନର କର୍ତ୍ତୃପକ୍ଷମାନଙ୍କୁ ଭେଟିବା ସହ ପୋଲାଭରମର ଦାବିକୁ ଉପସ୍ଥାପନ କରିବେ । ଏଠାରୁ ଯାଉଥିବା ସାତ ଜଣ ପ୍ରତିନିଧି ମଣ୍ଡଳୀ ସହିତ ବିଜେଡିର ସାତ ଜଣ ରାଜ୍ୟସଭା ସାଂସଦ ମଧ୍ୟ ଦିଲ୍ଲୀରେ ଏହି ପ୍ରତିନିଧି ମଣ୍ଡଳୀ ସହିତ ଯୋଗଦେବେ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ ।
2024-12-03

