ଡ଼ିସେମ୍ବର ୨୬ରେ ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ ପାଳିତ ହେବ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ

ଆସନ୍ତା ଡ଼ିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ, ଭୁବନେଶ୍ୱର ସଂଲଗ୍ନ ଜିଲ୍ଲାମାନଙ୍କୁ ନେଇ ଶଙ୍ଖ ଭଵନଠାରେ ହେବାକୁ ଥିବା ଏକ କାର୍ୟ୍ୟକ୍ରମ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ ବିବୃତ୍ତିରେ ପ୍ରତିଷ୍ଠା ଦିବସ କାର୍ୟ୍ୟକ୍ରମ ଉପରେ ସୂଚନା ଦେଇଛନ୍ତି।
ଶ୍ରୀ ମିଶ୍ର କହିଛନ୍ତି, ଆସନ୍ତା ଡ଼ିସେମ୍ବର ୨୬ ତାରିଖ ଦିନ ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯିବ। ଏହି ଦିବସରେ ବିଜେଡିର ଛାମୁଆ ନେତୃତ୍ୱ ପଦାଧିକାରୀ ତଥା ଶୁଭେଛୁମାନଙ୍କୁ ନେଇ କ୍ଷେତ୍ରୀୟ ସମ୍ମିଳନୀ/ସଭା କରି ଆମର ବିଗତ ଦିନର ଲୋକଙ୍କ ପାଇଁ ନିଆଯାଇଥିବା ସଫଳ କାର୍ୟ୍ୟକ୍ରମ ତଥା ସାମ୍ପ୍ରତିକ ସରକାରର ଜନବିରୋଧୀ କାର୍ୟ୍ୟକ୍ରମ, ଦରଦାମ ବୃଦ୍ଧି ଠାରୁ ଆରମ୍ଭ କରି ନିର୍ବାଚନ ସମୟରେ ଦିଆଯାଇଥିବା ବିଭିନ୍ନ ପ୍ରତିଶ୍ରୁତି ରକ୍ଷା କରିବାରେ ସରକାରଙ୍କ ବିଫଳତାକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ। ସାମ୍ପ୍ରତିକ ପରିସ୍ଥିତିରେ, ଓଡ଼ିଶାର ସର୍ବାଧିକ ଜନାଦେଶ ପାଇଥିବା ବିଜୁ ଜନତା ଦଳ ଏକ ଦାୟିତ୍ୱ ସମ୍ପର୍ଣ୍ଣ ବିରୋଧୀ ଦଳ ଭାବେ ତାର ବିକାଶର ଆଭିମୁଖ୍ୟକୁ ଆଗେଇ ନେବା ସହିତ ବିଭିନ୍ନ ଜନ ସାଧାରଣଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଗୁଡିକରେ ସଚେତନ କରାଇବ ଓ ଓଡ଼ିଶାର ସ୍ୱାର୍ଥ ପାଇଁ ନିରନ୍ତର ଭାବେ ସ୍ୱର ଉତ୍ତୋଳନ କରିବ।
ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଶଙ୍ଖ ଭଵନ ଠାରେ ଭୁବନେଶ୍ୱର ଓ ସଂଲଗ୍ନ ଜିଲ୍ଲା ମାନଙ୍କୁ ନେଇ ପ୍ରତିଷ୍ଠା ଦିବସ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ଓ ଏହି କାର୍ୟ୍ୟକ୍ରମରେ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଶଙ୍ଖଭବନ ଠାରେ ଆୟୋଜିତ ହେବାକୁ ଥିବା କାର୍ୟ୍ୟକ୍ରମ ପାଇଁ ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ, ଦଳର କାର୍ୟ୍ୟକ୍ରମ ରୂପାୟନ କମିଟିର ଆବାହକ ଶ୍ରୀ ସଞ୍ଜୟ ଦାସବର୍ମା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଏକାମ୍ର ବିଧାୟକ ଶ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଦଳର ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଦଳର ଯୁବ ସଭାପତି ଶ୍ରୀ ବ୍ୟୋମକେଶ ରାୟ, ଦଳର ଛାତ୍ର ସଭାପତି ଶ୍ରୀ ଦେବୀ ରଂଜନ ତ୍ରିପାଠୀ ଇତ୍ୟାଦି ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *