ଭୁବନେଶ୍ୱର:25.02.2022: ଓଡ଼ିଶାର ଛାତ୍ରଛାତ୍ରୀମାନେ ଯୁଦ୍ଧ ପ୍ରଭାବିତ ଦେଶରେ ଫସି ରହିଛନ୍ତି। ଖବର ଅନୁଯାୟୀ, ଓଡ଼ିଶାର ୧୫୦୦ ରୁ ଅଧିକ ଛାତ୍ରଛାତ୍ରୀ ୟୁକ୍ରେନରେ ରହିଛନ୍ତି ଓ ଭାରତକୁ ସ୍ଥାନାନ୍ତରିତ ହେବାକୁ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ୟୁକ୍ରେନରେ ଫସି କରି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ଫେରାଇ ଆଣିବାକୁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ନିଜ ଖର୍ଚ୍ଚରେ ଫେରାଇ ଆଣିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫସିଥିବା ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଅମିତ ଶାହଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ କେନ୍ଦ୍ର ସହ ସମନ୍ୱୟ ରକ୍ଷା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଦାୟିତ୍ୱ ଦିଆଯାଇଛି । ଦିଲ୍ଲୀ ସ୍ଥିତ ଓଡ଼ିଶା ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର ସେଲ୍ ଖୋଲାଯାଇଛି। ବିଦେଶ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହ ସମନ୍ୱୟ ରଖିବା ସହ ରେସିଡେଣ୍ଟ କମିଶନର ଆଇପିଏସ ରବିକାନ୍ତଙ୍କୁ ନୋଡାଲଅଫିସର ଦାୟିତ୍ବ ଦିଆଯାଇଛି। ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିସନର ଆଇପିଏସ ରବିକାନ୍ତଙ୍କ ଯୋଗାଯୋଗ ପାଇଁ ମୋବାଇଲ, ହ୍ବାଟସ ଆପ୍ ଓ ଇ-ମେଲ ଜାରି କରାଯାଇଛି। ମୋବାଇଲ-୮୫୨୭୫୮୦୨୪୫, ଲ୍ୟାଣ୍ଡଲାଇନ୍ ନମ୍ବର – ୦୧୧-୨୩୦୧୨୭୫୧।

