ସୋମବାରଠୁ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ :ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ବର : ସୋମବାର ଖୋଲିବ ପ୍ରାଥମିକ ସ୍କୁଲ । ଦୁଇ ବର୍ଷ ପରେ ଛୋଟ ପିଲାମାନେ ସ୍କୁଲ ଯାଉଥିବାରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ସେମାନଙ୍କୁ ମାନସିକସ୍ତରରେ ଚାପମୁକ୍ତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରୋଡମ୍ୟାପ ପ୍ରସ୍ତୁତ କରିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପ୍ରଥମ ସପ୍ତାହରେ ପାଠ ପଢାଯିବ ନାହିଁ ବୋଲି ସମସ୍ତ ବିଇଓ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚିଠି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମ ୬ ଦିନ ପିଲମାନଙ୍କୁ ଖେଳ, ନାଚ, ଗୀତ ଓ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟରେ ନିଯୋଜିତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ମନ୍ତ୍ରୀ ମଧ୍ୟ କହିଛନ୍ତି ଯେ, ପିଲାମାନେ ଦୁଇ ବର୍ଷ ହେବ ସ୍କୁଲରେ ପାଠ ପଢି ନାହାଁନ୍ତି । ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ମିଶ୍ରଣ କରାଯିବ। ଯାହାଫଳରେ ପିଲାମାନେ ପଛେଇ ଯିବେ ନାହିଁ। ମାର୍ଚ୍ଚ ୯ରୁ ତିନି ଧରି ସାହିତ୍ୟ, ଗଣିତ ଓ ଇଂରାଜୀରେ ଦକ୍ଷତା ପରୀକ୍ଷା କରାଯାଇ ଛାତ୍ରଛାତ୍ରୀଙ୍କ ଗତ ଦୁଇ ବର୍ଷର ଶୈକ୍ଷିକ କ୍ଷତିକୁ ଭରଣା କରିବାକୁ ସ୍କୁଲ ଏଭଳି ପ୍ରୟାସ କରିବ । ଦ୍ବିତୀୟ ଶ୍ରେଣୀକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମ୍ ଅନୁଭବ ନୂଆ ହେବାକୁ ଯାଉଛି । ପ୍ରତ୍ୟକ୍ଷ ଶିକ୍ଷାଗ୍ରହଣରୁ ଦୂରରେ ରହି ସେମାନଙ୍କ ମୌଳିକ ଜ୍ଞାନ ହ୍ରାସ ପାଇଥିବା ସ୍ବାଭାବିକ । ଶ୍ରେଣୀ ଅନୁସାରେ ପାଠ୍ୟକ୍ରମକୁ ପ୍ଲାନ-ଏ ଓ ପ୍ଲାନ-ବି ରେ ବିଭକ୍ତ କରାଯାଇଛି । ପ୍ଲାନ-ଏ ଏପ୍ରିଲରୁ ଜୁଲାଇ ଓ ପ୍ଲାନ-ବି ଅଗଷ୍ଟରୁ ମାର୍ଚ୍ଚ ଯାଏ ଚାଲିବ । ପାଠପଢା ନର୍ଦ୍ଧାରିତ ସମୟସୀମା ଓ ବିଷୟବସ୍ତୁ ଆଧାରରେ ହି ପଠାଯିବ ।

Leave a Reply

Your email address will not be published. Required fields are marked *