ଫାଷ୍ଟ ବୋଲର ଯଶପ୍ରୀତ ବୁମରାଙ୍କ ଅଗ୍ନୀବର୍ଶୀ ବୋଲିଂ ଓ ବ୍ୟାଟ୍ସମ୍ୟାନଙ୍କ ଲଢୁଆ ପ୍ରଦର୍ଶନ ବଳରେ ବାଙ୍ଗାଲୁରୁରେ ଅନୁଷ୍ଠିତ ପିକ୍ ବଲ ଟେଷ୍ଟରେ ପ୍ରମଣକରୀ ଶ୍ରୀଲଙ୍କାକୁ ବିଶାଳ ୨୩୮ରନରେ ପରାସ୍ତ କରି ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ ଜିତି ନେଇଛି ଭାରତ । ବିଶାଳ ୪୪୭ରନ୍ର ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ୨୦୮ରନ୍ କରି ଅଲଆଉଟ ହୋଇଥିଲା । ଅଧିକାୟକ ଦିମୁଥ କରୁଣରତ୍ନେ ଚମତ୍କାର ଶତକ ହାସଲ କରି ୧୦୭ରନ କରିଥିଲେ ମଧ୍ୟ ତାହା ଦଳକୁ ପରାଜୟରୁ ରୋକିପାରିନଥିଲା ।
ପ୍ରଥମ ଇନିଂସରେ ୨୫୨ରନ୍ କରିଥିଲା ଭାରତ । ଏହାର ପ୍ରତିଉତ୍ତରରେ ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୦୯ରନ୍ରେ ଅଲଆଉଟ ହୋଇଥିଲା । ଫଳରେ ୧୪୩ରନ୍ ଆଗରେ ରହିଥିବା ଭାରତ ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ କରିଥିଲା । ଦଳ ୯ ୱିକେଟ ବିନିମୟରେ ୩୦୩ରନ କରି ପାଳି ଘୋଷଣା କରିଥିଲା । ଫଳରେ ଭ୍ରମଣକାରୀ ଶ୍ରୀଲଙ୍କା ସାମ୍ନାରେ ବିଜୟ ପାଇଁ ୪୪୭ରନ୍ର ବିଶାଳ ଟାର୍ଗେଟ ରହିଥିଲା । ଭାରତ ପକ୍ଷରୁ ଏହି ମ୍ୟାଚର ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିବା ଶ୍ରେୟସ ଆୟର ମ୍ୟାନ୍ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲା ବେଳେ ସିରିଜ ସାରା ଚମତ୍କାର ବ୍ୟାଟିଂ କରିଥିବା ରିଷଭ ପନ୍ତ ମ୍ୟାନ୍ ଅପ୍ ଦ୍ ସିରିଜ ବିବେଚିତ ହୋଇଛନ୍ତି ।
ଏହି ସିରିଜ ବିଜୟ ହେବା ସହ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଆନସିପ୍ର ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନକୁ ଉନ୍ନତୀ ହୋଇଛି । ଅଷ୍ଟ୍ରେଲିଆ ୭୭.୭ ପଏଣ୍ଟ ସହ ପ୍ରଥମ, ପାକିସ୍ତାନ ୬୬.୬ ପଏଣ୍ଟ ସହ ଦ୍ୱିତୀୟ, ୬୦.୦୦ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ତୃତୀୟ ଓ ୫୮.୩ ପଏଣ୍ଟ ସହ ଭାରତ ୪ର୍ଥ ସ୍ଥାନରେ ରହିଛି । ଏହି ମ୍ୟାଚରେ ଦମଦାର ବ୍ୟାଟିଂ କରିଥିବା ଶ୍ରେୟସ ଆୟର ମଧ୍ୟ ଆଇସିସି ପକ୍ଷରୁ ପ୍ଲେୟାର ଅଫ୍ ଦ ମଥ ବା ମାସର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।
2022-03-14

