ଭାରତର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଟେଷ୍ଟରେ ଭରତର ଦ୍ରୁତତମ ଅର୍ଦ୍ଧଶତକ ହାସଲ କାରୀ ବ୍ୟାଟ୍ସମ୍ୟାନ ଭାବେ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି । କିମ୍ବଦନ୍ତି ଅଲରାଉଣ୍ଡର କପିଲ ଦେବଙ୍କ ଦୀର୍ଘ ୪୦ ବର୍ଷର ରେକର୍ଡ ଭାଙ୍ଗିଛନ୍ତି ପନ୍ତ । ପୂର୍ବରୁ ଏହି ରେକର୍ଡ କପିଲ ଦେବଙ୍କ ନାଁରେ ଥିଲା । ସେ ୧୯୮୨ରେ ପାକିସ୍ତାନ ବିପକ୍ଷରେ କରାଚୀରେ ଅନୁଷ୍ଠିତ ଏକ ଟେଷ୍ଟ ମ୍ୟାଚରେ ମାତ୍ର ୩୦ ବଲରେ ଅର୍ଦ୍ଧଶତକ ହାସଲ କରି ନିଜ ନାଁରେ ଏହି ରେକର୍ଡ ପ୍ରତିଷ୍ଠା କରିଥିଲେ । ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ପନ୍ତ ବାଙ୍ଗାଲୁରୁରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚରେ ମାତ୍ର ୨୮ ବଲରୁ ୭ ଚୌକା ଓ ୨ ଟି ବିଶାଳ ଛକ। ସହ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହି ରେକର୍ଡ ତାଲିକାରେ ପନ୍ତ ପ୍ରଥମ ସ୍ଥାନରେ ରହିଥିଲା ବେଳେ କପିଲ ଦେବ ୩୦ ବଲରୁ ଅର୍ଦ୍ଧଶତକ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ଅଲରାଉଣ୍ଡର ଶର୍ଦ୍ଦୁଳ ଠାକୁର ୩୧ ବଲରେ ଅର୍ଦ୍ଧଶତକ ହାସଲ କରି ତୃତୀୟ ସ୍ଥାନରେ ରହିଛନ୍ତି । ସେ ୨୦୨୧ରେ ଇଂଲଣ୍ଡ ବିପକ୍ଷରେ ଏହି ରେକର୍ଡ ପ୍ରତିଷ୍ଠା କରିଥିଲେ । ସେହିପରି ଭାରତର ସବୁଠାରୁ ଧୂଆଁଧାର ବ୍ୟାଟ୍ସମ୍ୟାନ ଭାବେ ଜଣାଶୁଣା ବୀରେନ୍ଦ୍ର ସେହୱାଗ ୩୨ ବଲରେ ଅର୍ଦ୍ଧଶତକ ହାସଲ କରି ଏହି ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି । ସେ ୨୦୦୮ରେ ଇଂଲଣ୍ଡ ବିପକ୍ଷରେ ଏହି ଭଳି ଦ୍ରୁତ ବ୍ୟାଟିଂ କରିଥିଲେ ।
2022-03-13

