ଜାଣନ୍ତୁ କେମିତି ହୁଏ ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣିତ

ଦେଶର ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି । ତାଙ୍କ କାର୍ଯ୍ୟକଳାପ ଦିଗଦର୍ଶନ ଓ ବିଚାର ସାରା ଦେଶ ପାଇଁ ପ୍ରେରଣା । ଏହି ସମ୍ମାନସ୍ପଦ ପଦ ଉପରେ ସମସ୍ତଙ୍କ ନଜର ରହିଥାଏ । ଆସନ୍ତୁ ଜାଣିବା ଏହି ରାଷ୍ଟ୍ରପତି ନିର୍ବାଚନ ହୁଏ କେମିତି ଏବଂ କିଏ କିଏ ଭୋଟ ଦିଅନ୍ତି । ରାଷ୍ଟ୍ରପତି ନିର୍ବାଚନର ଭୋଟ ଗ୍ରହଣ ପ୍ରରୋକ୍ଷ ଭାବେ ହୁଏ । ସମ୍ବିଧାନର ଅନୁଚ୍ଛେଦ ୫୪ ଅନୁସାରେ ଦେଶର ବିଭିନ୍ନ ରାଜ୍ୟର ନିର୍ବାଚିତ ବିଧାୟକ ଓ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ଓ ପୁଡୁଚେରୀର ନିର୍ବାଚିତ ପ୍ରତିନିଧୀ ଏବଂ ସଂସଦର ଦୁଇ ସଭା ଲୋକସଭା ଓ ରାଜ୍ୟସଭାର ନିର୍ବାଚିତ ପ୍ରତିନିଧି ମାନେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇପାରିବେ । ତେବେ ମନୋନୀତି ସାଂସଦ କିମ୍ବା ବିଭିନ୍ନ ରାଜ୍ୟର ରାଜ୍ୟ ପରିଷଦର ସଭ୍ୟମାନେ ଭୋଟ ଦେଇପାରିବେ ନାହିଁ । ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ହେଉଛି ସବୁ ରାଜ୍ୟର ବିଧାୟକଙ୍କ ଭୋଟ ମୂଲ୍ୟ ସମାନ ନୁହେଁ । ସେ ରାଜ୍ୟର ଜନସଂଧ୍ୟା ଓ ବିଧାନସଭାର ନିର୍ବାଚିତ ବିଧାୟକଙ୍କ ସଂଖ୍ୟା କୁ ନେଇ ନିର୍ଦ୍ଧାରିତ ହୋଇଥାଏ । ଅନ୍ୟପଟେ ବିଧାୟକ ଓ ସାଂସଦଙ୍କ ଭୋଟ ମୂଲ୍ୟ ମଧ୍ୟ ସମାନ ନୁହେଁ ।
୧୯୭୧ ଜନଗଣନାର ଜନସଂଖ୍ୟା ଅନୁସାରେ ବିଭିନ୍ନ ରାଜ୍ୟର ବିଧାୟକଙ୍କ ଭୋଟ ମୂଲ୍ୟ ଆକଳନ ହୋଇଥାଏ । ରାଜ୍ୟର ମୋଟ ଜନସଂଖ୍ୟା ସହ ଉକ୍ତ ରାଜ୍ୟର ବିଧାୟକଙ୍କ ମଧ୍ୟରେ ଭାଗ କରାଯାଇ ଏବଂ ପରେ ୧୦୦୦ରେ ଭାଗ କରାଯାଇଥାଏ । ସେଥିରୁ ଯେଉଁ ସଂଖ୍ୟା ଆସେ ତାହା ହେଉଛି ସେହି ରାଜ୍ୟର ବିଧାୟକଙ୍କ ଭୋଟ ମୂଲ୍ୟ । ଉଦାହରଣ ଉତ୍ତରପ୍ରଦେଶର ଜନସଂଖ୍ୟା ଅଧିକ ଥିବାରୁ ସେଠାର ବିଧାୟକଙ୍କ ଭୋଟ ମୂଲ୍ୟ ସର୍ବାଧିକ ରହିଛି । ୧୯୭୧ରେ ଉତ୍ତରପ୍ରଦେଶର ଜନସଂଖ୍ୟା ୮,୩୮,୪୯,୯୦୫ । ଏହାକୁ ସେ ରାଜ୍ୟର ବିଧାନସଭାର ବିଧାୟକ ସଂଖ୍ୟା ୪୦୩ ସହ ଭାଗ କରାଯାଇ ପରେ ୧୦୦୦ ସହ ଭାଗ କଲେ ଯେଉଁ ସଂଖ୍ୟା ବାହାରେ ତାହା ହେଉଛି ସେ ରାଜ୍ୟର ବିଧାୟକଙ୍କ ଭୋଟ ମୂଲ୍ୟ । ସେଠାରେ ବିଧାୟକଙ୍କ ଭୋଟ ମୂଲ୍ୟ ହେଉଛି ୨୦୮ । ଅନ୍ୟପଟେ ସିକିମ ଓ ଅରୁଣାଞ୍ଚଳ ପ୍ରଦେଶର ଜନସଂଖ୍ୟା କମ ଥିବାରୁ ସେଠାକାର ଜଣେ ବିଧାୟକଙ୍କ ଭୋଟ ମୂଲ୍ୟ ଯଥାକ୍ରମେ ୭ ଓ ୮ ରହିଛି । ସେହିପରି ଉତ୍ତର ପ୍ରଦେଶର ଗୋଟିଏ ବିଧାୟକଙ୍କ ଭୋଟ ମୂଲ୍ୟ ୨୦୮ ରହିଥିଲା ବେଳେ ମୋଟ ୪୦୩ ବିଧାୟକଙ୍କ ଭୋଟ ମୂଲ୍ୟ ହେଉଛି ୮୩୮୨୪ । ଅନ୍ୟପଟେ ୧୯୭୧ରେ ଓଡିଶାର ଜନସଂଖ୍ୟା ଥିଲା ୨ କୋଟି ୧୯ ଲକ୍ଷ ୪୪ ହଜାର ୬୧୫ । ବିଧାନସଭାର ବିଧାୟକ ସଂଖ୍ୟା ୧୪୭ ରହିଥିଲା । ଫଳରେ ଜଣେ ବିଧାୟକଙ୍କ ଭୋଟ ମୂଲ୍ୟ ଥିଲା ୧୪୯ । ଓଡିଶାର ସମସ୍ତ ବିଧାୟକଙ୍କ ଭୋଟ ମୂଲ୍ୟ ରହିଛି ୨୧,୯୦୩ । ଏହି ଭଳି ଭାବେ ଦେଶର ୨୯ ରାଜ୍ୟ ଓ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳର ବିଧାୟକମାନଙ୍କ ମୋଟ ଭୋଟ ମୂଲ୍ୟ ହୋଇଛି ୫ ଲକ୍ଷ ୪୯ ହଜାର ୪୯୫ ।
ଅନ୍ୟ ପଟେ ସାଂସଦ ମାନଙ୍କ ଭୋଟ ମୂଲ୍ୟ ପାଇଁ ମଧ୍ୟ ଗଣିତ ଭିନ୍ନ ହୋଇଥାଏ । ଏଠାରେ ଦେଶର ସମସ୍ତ ବିଧାୟକଙ୍କ ଭୋଟ ମୂଲ୍ୟ ସହ ମୋଟ ସାଂସଦଙ୍କ ସଂଖ୍ୟା ମଧ୍ୟରେ ଭାଗ କରାଯାଏ । ଯେଉଁ ଫଳ ଆସେ ତାହା ହିଁ ଜଣେ ସାଂସଦଙ୍କ ଭୋଟ ମୂଲ୍ୟ । ଦେଶରେ ଥିବା ସମସ୍ତ ବିଧାୟକ ମୋଟ ଭୋଟ ମୂଲ୍ୟ ହୋଇଛି ୫ ଲକ୍ଷ ୪୯ ହଜାର ୪୯୫ । ରାଜ୍ୟସଭା ଓ ଲୋକସଭାର ମୋଟ ସଂଖ୍ୟା ୭୭୬ ମଧ୍ୟରେ ଭାଗ କରାଯାଏ । ଯେଉଁ ସଂଖ୍ୟା ପଡେ ତାହା ହେଉଛି ଗୋଟିଏ ସାଂସଦର ଭୋଟ ମୂଲ୍ୟ । ଜଣେ ସାଂସଦଙ୍କ ଭୋଟ ମୂଲ୍ୟ ହେଉଛି ୭୦୮ । ଅନ୍ୟ ପଟେ ମୋଟ ସାଂସଦଙ୍କ ଭୋଟ ମୂଲ୍ୟ ହେଉଛି ୫ ଲକ୍ଷ ୪୯ ହଜାର ୪୦୮ । ତେଣୁ ରାଷ୍ଟ୍ରପତିଙ୍କ ପାଇଁ ଭୋଟ ହେଉଛି ଦେଶର ସମସ୍ତ ବିଧାୟକଙ୍କ ମୋଟ ଭୋଟ ଓ ସାଂସଦଙ୍କ ମୋଟ ଭୋଟ । ଉଭୟ ଭୋଟ ମିଶାଇଲେ ମୋଟ ଭୋଟ ହେଉଛି ୧୦ ଲକ୍ଷ ୯୮ ହଜାର ୯୦୩ । ତେଣୁ ଯେଉଁ ରାଷ୍ଟ୍ରପତି ପ୍ରାର୍ଥୀ ମତଦାନର ୫୦ ପ୍ରତିଶତରୁ ଅଧିକ ଭୋଟ ହାସଲ କରନ୍ତି । ସେ ହିଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବେ ।

Leave a Reply

Your email address will not be published. Required fields are marked *