ବର୍ତ୍ତମାନ ସମୟରେ ସାରା ଭାରତରେ ଗୋଟିଏ ନାଁ ବେଶ ଗୁଞ୍ଜରିତ ହୋଇଛି । ସେ ନାଁଟି ହୋଇଛି ଦ୍ରୌପଦୀ ମୁର୍ମୁ । ଆପଣ ଭାବୁଥିଲେ ସେ କିଏ ଏବଂ ତାଙ୍କ ନାଁ ଗୁଞ୍ଜରିତ ହୋଇଛି କାହିଁକି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନ୍ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା ହେବା ପରଠାରୁ ଏହି ଚର୍ଚ୍ଚା ଜୋର ଧରିଛି । ଉପା ପକ୍ଷରୁ ଯଶୱନ୍ତ ସିହ୍ନା ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ତେଣୁ ରାଷ୍ଟ୍ରପତି ନିର୍ବାଚନରେ ଯଶୱନ୍ତ ସିହ୍ନା ଓ ଦ୍ରୌପଦୀ ମୁର୍ମୁଙ୍କ ମଧ୍ୟରେ ଲଢେଇ ହେବ । ସଂଖ୍ୟା ଖେଳରେ ମୁର୍ମୁ ଆଗରେ ରହୁଥିବାରୁ ସେ ରାଷ୍ଟ୍ରପତି ହେବା ପ୍ରାୟ ନିଶ୍ଚିତ । ଯାହା ଓଡିଶା ପାଇଁ ଗର୍ବ ଓ ଗୌରବ କଥା । ସେ ହେବେ ପ୍ରଥମ ଓଡିଆ ରାଷ୍ଟ୍ରପତି । ସେ ମଧ୍ୟ ହେବେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ତଥା ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତ । ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ୧୯୫୮ ଜୁନ୍ ୨୦ ତାରିଖରେ ଓଡିଶାର ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଉପରବେଡା ଗ୍ରାମର ଏକ ସାନ୍ତାଳୀ ଆଦିବାସୀ ପରିବାରରେ ହୋଇଥିଲା ।ଲ । ତାଙ୍କ ପିତାଙ୍କ ନାମ ହେଉଛି ବିରଞ୍ଚି ନାରାୟଣ ଟୁଡୁ । ଛାତ୍ର ଜୀବନରୁ ସେ ବହୁତ ନିର୍ଭିକ ଥିଲେ ମୁର୍ମୁ । ପାଠପଢା ପରେ କୁସୁମୀ ବ୍ଲକ ପାହାଡପୁର ଗ୍ରାମ ଶ୍ୟାମଚରଣ ମୁମୁଙ୍କୁ ବିବାହ କରିଥିଲେ ଦ୍ରୌପଦୀ ମୁର୍ମୁ । ରାଜନୀତିରେ ପାଦ ଦେବା ପୂର୍ବରୁ ସେ ରାଇରଙ୍ଗପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ କିଛି କାଳ ଶିକ୍ଷକତା କରିଥିଲେ । ୧୯୯୬ ବିଜେପି ପକ୍ଷରୁ ରାଇରଙ୍ଗପୁର ଏନ୍ଏସିର ୨ ନଂ ୱାର୍ଡରୁ କାଉନସିଲର ଭାବେ ବିଜୟୀ ହୋଇ ନିଜର ରାଜନୈତିକ ଇନିଂସ ଆରମ୍ଭ କରିଥିଲେ । ପରେ ଏନ୍ଏସିର ଉପାଧ୍ୟକ୍ଷ ମଧ୍ୟ ହୋଇଥିଲେ । ୨୦୦୦ରେ ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ବିଜୟୀ ହୋଇଥିଲେ । ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ ଓଡିଶାର ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଥିଲେ । ଏହାପରେ ୨୦୦୨ରୁ ୨୦୦୪ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁପାଳନ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ । ରାଜନୀତିରେ ବେଶ୍ ସଫଳ ହୋଇଥିଲେ ମଧ୍ୟ ପାରିପାରିକ ଜୀବନ ବହୁତ ଦୁଃଖ ଥିଲା ଦ୍ରୌପଦୀ ମୁର୍ମୁଙ୍କର । ତାଙ୍କ ସ୍ୱାମୀ ଓ ଦୁଇ ପୁଅଙ୍କ ଅକାଳ ବିୟୋଗ ହୋଇଥିଲା । ଏହା ସତ୍ତ୍ୱେ ସେ ଲୋକ ସେବାରୁ କେବେ ନିଜକୁ ଅନ୍ତର କରିନଥିଲେ । କେବଳ ଏତିକି ନୁହେଁ ୨୦୧୫ ମେ’ ୧୮ ସେ ଝାଡଖଣ୍ଡର ରାଜ୍ୟପାଳ ଭାବେ ଅଭିଷିକ୍ତ ହୋଇଥିଲେ । ୨୦୨୦ରେ ତାଙ୍କ କାର୍ଯ୍ୟକାଳ ସରିଥିଲେ ମଧ୍ୟ ସେ ୨୦୨୧ ଜୁଲାଇ ୨ ପର୍ଯ୍ୟନ୍ତ ଝାଡଖଣ୍ଡ ରାଜ୍ୟପାଳ ଭାବେ ନିଜ କାର୍ଯ୍ୟ ପ୍ରତିପାଦନ କରିଥିଲେ । ଜଣେ ଆଦିବାସୀ ମହିଳା କାଉନସିଲରରୁ ଦେଶର ପ୍ରଥମ ନାଗରିକ ହେବା ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ।
2022-06-23

