ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ପୂର୍ବାହ୍ନ ୧୧.୩୦ ସମୟରେ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ମହାମହିମଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସ୍ବାଗତ କରିିଥିଲେ। ଏହାପରେ ଉତ୍କଳ ମଣ୍ଡପଠାରେ ଆୟୋଜିତ ଜ୍ଞାନପ୍ରଭା ମିଶନର ଦ୍ବିତୀୟ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ରାଷ୍ଟ୍ରପତି। ଏହି ସଭାରୁ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିବା ସହ ରାଷ୍ଟ୍ରପତି କହିଛନ୍ତି ମାତୃକରୁଣା ଜଣେ ବ୍ୟକ୍ତିକୁ ଅସାଧାରଣ ବ୍ୟକ୍ତିତ୍ବରେ ପରିଣତ କରିଥାଏ। ଗାନ୍ଧୀଜୀ ଏବଂ ଛତ୍ରପତି ଶିବାଜୀଙ୍କ ଉଦାହରଣ ଦେଇ ରାଷ୍ଟ୍ରପତି କହିଛନ୍ତି ପିତାମାତା, ଗୁରୁଜନଙ୍କ ସେବା ହିଁ ମାନବ ଧର୍ମ ।
ବାପା, ମାଆଙ୍କ ଫଟୋ ପୂଜା ନୁହେଁ ତାଙ୍କ ଯତ୍ନ ନେବା ହିଁ ଶ୍ରେଷ୍ଠ ଧର୍ମ । ବାପା, ମାଆ ସବୁବେଳେ ତ୍ୟାଗ, ବଳିଦାନ, ସାହସ, ସ୍ନେହ, ଶ୍ରଦ୍ଧା, ମମତାର ପ୍ରତୀକ । ଆଜି ସୁଖ ଅପହଞ୍ଚ ନୁହେଁ, କିନ୍ତୁ ମାନସିକ ଶାନ୍ତି ଅପହଞ୍ଚ ହୋଇଯାଇଛି ବୋଲି ମତ ରଖିଛନ୍ତି ରାଷ୍ଟ୍ରପତି। ଏହି ସଭାରେ ଭାବବିହ୍ବଳ ହୋଇ ରାଷ୍ଟ୍ରପତି କହିଥିଲେ ମୁଁ ଜାଣି ଆନନ୍ଦିତ ଯେ ଏହି ଅନୁଷ୍ଠାନ ଜଣେ ଆଦର୍ଶ ଜନନୀଙ୍କ ନାମରେ ନାମିତ ହୋଇଛି। ଆଧ୍ୟାତ୍ମିକ ଗୁରୁ ଯୋଗାନନ୍ଦଙ୍କ ମାତା ଜ୍ଞାନପ୍ରଭାଙ୍କ ନାମରେ ଏହି ମିଶନର ନାମକରଣ ହୋଇଛି। ମାଆଙ୍କ ପ୍ରେରଣାରେ ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ। ଠିକ୍ ସେହିପରି ଛତ୍ରପତି ଶିବାଜୀ ଓ ମହାତ୍ମା ଗାନ୍ଧୀ ବି ମାଆଙ୍କ ଲାଗି ମହାନ୍ ହୋଇଛନ୍ତି। ନାରୀ ହେଉଛି ନାରାୟଣୀ, କଲ୍ୟାଣକାରୀ, ଚିର ନମସ୍ୟା ।
ରାଷ୍ଟ୍ରପତି ଆହୁରି କହିଛନ୍ତି, ଆଜିର ସମାଜରେ ଆଧ୍ୟାତ୍ମିକତା ବିକାଶ ହେବା ଦରକାର। ଆଜି ଭାରତ ଆର୍ଥିକ ବିକାଶକ କ୍ଷେତ୍ରରେ ବିଶ୍ବର ପଞ୍ଚମ ସ୍ଥାନରେ ଅଛି। ହେଲେ ଦିନେ ଆମେ ଆର୍ଥିକ ବିକାଶରେ ସାରା ବିଶ୍ବରେ ପ୍ରଥମ ସ୍ଥାନ କରିବା। ଶରୀରକୁ ସୁସ୍ଥ ରଖିବା ଦରକାର ଓ ଆତ୍ମାକୁ ବଳ ଦେବା ଉଚିତ। ମଣିଷ ବସ୍ତୁବାଦୀ ହେବା ଉଚିତ ନୁହେଁ। ଆତ୍ମଶୁଦ୍ଧି ଲାଗି ଯୋଗର ଆବଶ୍ୟକତା ରହିଛି। ନିଜର ବ୍ୟକ୍ତିଗତ ଅନୁଭୂତିରୁ ସେ କହିଛନ୍ତି, ଗୋଟିଏ ସମୟରେ ମୁଁ ମାନସିକ ଓ ଶାରୀରିକ ଭାବେ ଭାଙ୍ଗି ପଡ଼ିଥିଲି। ଏଭଳି ଅବସ୍ଥାରେ ମୁଁ ଯୋଗକୁ ଗ୍ରହଣ କଲି। ଯୋଗ ପାଇଁ ଆଜି ମୁଁ ଏଠି ଛିଡ଼ାହୋଇଛି, ଆପଣଙ୍କ ସହ କଥା ହେଉଛି।
ଜ୍ଞାନପ୍ରଭା ମିଶନର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ରାଷ୍ଟ୍ରପତି କହିଛନ୍ତି ଭାରତ ଯୁଗେ ଯୁଗେ ତପସ୍ବୀ, ବିଦୂଷୀ ମାନଙ୍କ ତ୍ୟାଗରେ ମହିମାମଣ୍ତିତ । ଜ୍ଞାନପ୍ରଭା ମିଶନରେ କୁମାରୀମାନଙ୍କୁ ନେଇ ସାଧନା ଶିବିର ଆୟୋଜନ କରାଯାଉଛି। ଅନୁଷ୍ଠାନ କ୍ରିୟାଯୋଗର ପ୍ରଚାର ପ୍ରସାର ପାଇଁ କାମ କରୁଛି । ଯୋଗଯୁକ୍ତ ହେଲେ ରୋଗମୁକ୍ତ ହୋଇପାରିବା । ବିଶ୍ବ ଯୋଗର ମହତ୍ତ୍ବ ଉପଲବ୍ଧି କରିଛି । ସୁସ୍ଥତା କହିଲେ ଶାରୀରିକ ଓ ମାନସିକ ସୁସ୍ଥତାକୁ ବୁଝାଏ । ମାନସିକ ଶୁଦ୍ଧି ପାଇଁ ଯୋଗର ଆବଶ୍ୟକତା ରହିଛି । ସାମାଜିକ ଓ ଆର୍ଥିକ ଉତ୍ଥାନ ସହ ଆଧ୍ୟାତ୍ମିକ ବିକାଶ ଆବଶ୍ୟକ । ଶିକ୍ଷାର ବିସ୍ତାର ହେଲେ ମଧ୍ୟ ଆଧ୍ୟାତ୍ମିକ ଓ ନୈତିକ ଶକ୍ତିର ବିକାଶ ଜରୁରୀ । କେବଳ ବସ୍ତୁ ପଛରେ ଦୌଡ଼ିବା ଦରକାର ନାହିଁ ।
ଏହି ଅବସରରେ ନିଜ ଜୀବନର ଅଭିଜ୍ଞତା ବଖାଣିଥିଲେ ରାଷ୍ଟ୍ରପତି । ଯୋଗ ସହ ଯୁକ୍ତ ହେବା ପରେ ତାଙ୍କ ଜୀବନ ପ୍ରତି ଆସ୍ଥା ଓ ଆଶ୍ରା ସଂଚାର ହୋଇଥିଲା। ଏବେ ବି ଯୋଗ କରନ୍ତି ରାଷ୍ଟ୍ରପତି । ଯୋଗ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିବା ସହ କର୍ମଚଞ୍ଚଳ କରେ । ଦୁଃଖର କାରଣ କାମନା, ସନ୍ତୁଷ୍ଟତା କାମନାକୁ ବିନାଶ କରିପାରେ ବୋଲି ରାଷ୍ଟ୍ରପତି କହିଛନ୍ତି । ଏବେ ବିଶ୍ବ ପାଇଁ ପ୍ରକୃତିର ଅସ୍ବାଭାବିକ ଆଚରଣ ବଡ଼ ବିପଦ । ନିଜେ ବଞ୍ଚ ଓ ଅନ୍ୟକୁ ବଞ୍ଚିବାକୁ ଦିଅ । ତେଣୁ ପ୍ରକୃତି ଅନୁକୂଳ ଜୀବନଶୈଳୀ ଆପଣାଇବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । ଜ୍ଞାନପ୍ରଭା ମିଶନ ବତିଖୁଣ୍ଟ ପରି ମାନବ ସମାଜକୁ ଦିଗଦର୍ଶନ ଦେବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।
ଉତ୍କଳ ମଣ୍ଡପଠାରେ ଆୟୋଜିତ ଜ୍ଞାନପ୍ରଭା ମିଶନର ଦ୍ବିତୀୟ ପ୍ରତିଷ୍ଠା ଦିବସ ଅନ୍ୟଅତିଥିମାନଙ୍କ ମଧ୍ୟରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠାତା ପରମହଂସ ପ୍ରଜ୍ଞାନନ୍ଦ ପ୍ରଥମେ ଆଶୀର୍ବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଏମସି ମେୟର ସୁଲୋଚନା ଦାସ ଓ ଜ୍ଞାନପ୍ରଭା ମିଶନର ସଭାପତି ଜ୍ୟୋତିର୍ମୟୀ ମିଶ୍ର କାର୍ଯ୍ୟକ୍ରମରେ ଅଭିଭାଷଣ ରଖିଥିଲେ।

