ଉତ୍କଳମଣିଙ୍କ ବିରାଟ ଷ୍ଟାଚ୍ୟୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସୁଆଣ୍ଡୋରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ ଅବସରରେ ପବିତ୍ର ଭୂମି ସୁଆଣ୍ଡୋକୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ଭୋଗ ନୁହେଁ ତ୍ୟାଗ ମହାନ, ସେବା ହିଁ ଶ୍ରେଷ୍ଠ । ମାନବ ସମାଜର ମଣି ଥିଲେ ଉତ୍କଳମଣି । ତାଙ୍କ ତ୍ୟାଗ, ଦେଶଭକ୍ତି, ସେବା ଓ ଜାତିପ୍ରୀତିର ତୁଳନା ନାହିଁ। ।

ଗୋପବନ୍ଧୁଙ୍କ ଜନ୍ମମାଟିର ବିକାଶ 5T ସଂସ୍କାରରେ ଅତିସୁନ୍ଦର ଭାବେ କରାଯାଇଛି। ଷଠିଘର ବିକାଶ ସହ ମ୍ୟୁଜିୟମ, ଲୋକେଶ୍ବର ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯାଇଛି। ଏଥିସହ ଉତ୍କଳମଣିଙ୍କ ବିରାଟ ଷ୍ଟାଚ୍ୟୁ ପ୍ରତିଷ୍ଠା କରାଯାଇଛି। ଉତ୍କଳମଣିଙ୍କ ପରିବାର ଓ ସୁଆଣ୍ଡୋବାସୀ ପୂର୍ଣ୍ଣ ସହଯୋଗ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଗୋପବନ୍ଧୁ ଜଣେ ଯୁଗପୁରୁଷ ଥିଲେ, ସବୁବେଳେ ଓଡ଼ିଶା ତାଙ୍କ ନିକଟରେ ଋଣୀ ରହିବ। ଆଗକୁ ମଧ୍ୟ 5T ସଂସ୍କାରରେ ରାଜ୍ୟର ବିଭିନ୍ନ ବରପୁତ୍ରଙ୍କ ଜନ୍ମସ୍ଥାନର ବିକାଶ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଉତ୍କଳ ଗୌରବ ମଧୁସୁଦନ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ସହିଦ ଲକ୍ଷ୍ମଣ ନାୟକଙ୍କ ଭଳି ବରପୁତ୍ରଙ୍କ ତ୍ୟାଗ ଅସାଧାରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ଓଡ଼ିଶାର ଶିକ୍ଷା, ସାହିତ୍ୟ, ସଂସ୍କୃତି, ରାଜନୀତି, ମାନବିକତାରେ ଗୋପବନ୍ଧୁ ନୂଆ କୀର୍ତ୍ତି ସ୍ଥାପନ କରିଛନ୍ତି। ଓଡ଼ିଶାରେ ଜାତୀୟତାବାଦୀ ବିକାଶର ସେ ଥିଲେ କର୍ଣ୍ଣଧାର। ଗୋପବନ୍ଧୁ ସବୁବେଳେ ପ୍ରେରଣା ହୋଇରହିବେ। ଗୋପବନ୍ଧୁଙ୍କ ବାର୍ତ୍ତାକୁ ଜୀବନ ବ୍ରତ କରି ନୂଆ ସଶକ୍ତ ଓଡ଼ିଶା ଗଠନ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *