ଭୁବନେଶ୍ବର: ଏକାମ୍ର ପ୍ରକଳ୍ପକୁ ବନ୍ଦ କରିବାକୁ ଚକ୍ରାନ୍ତ କରିଥିବା ବିଜେପି ନେତା ସମୀର ମହାନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଓ ଅନ୍ୟତମ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି ରାଜ୍ୟ ବିଜେପି ନେତାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ‘ଏକାମ୍ର କ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ଖେଳି ଯାଇଛି । ମୁଖ୍ୟମନ୍ତ୍ରୀ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏପରି ପରିକଳ୍ପନାକୁ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଜଣେ କେନ୍ଦ୍ରମନ୍ତ୍ରୀ ରୀତିମତ ବିରୋଧ କରି ଚାଲିଥିଲେ । ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦରୁ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ବାସ୍ତବ ରୂପ ନେଇଥିବାରୁ ରାଜ୍ୟବାସୀ ଆଜି ତାଙ୍କ ପ୍ରଶଂସାରେ ଶତମୁଖ ।’
କେନ୍ଦ୍ରମନ୍ତ୍ରୀ ଏବଂ ଅପରାଜିତାଙ୍କୁ ଟାର୍ଗେଟ କରି ଶ୍ରୀ ମହାନ୍ତି ଓ ଡ଼ଃ ମାଝି କହିଛନ୍ତି, ‘ପ୍ରକଳ୍ପ ପରିକଳ୍ପନାଠାରୁ କେନ୍ଦ୍ରମନ୍ତ୍ରୀ ଏବଂ ଅପରାଜିତା ବିରୋଧ କରି ଆସୁଥିଲେ । ପ୍ରକଳ୍ପ କେମିତି ବନ୍ଦ ହୋଇଯିବ ସେ ନେଇ ଚେଷ୍ଟାରେ ଥିଲେ । ଏମାନେ କାହା ନିର୍ଦ୍ଦେଶରେ ପ୍ରଭୁ ଲିଙ୍ଗରାଜଙ୍କ ବିକାଶ କାମକୁ ବିରୋଧ କରୁଥିଲେ, ତାହା ତାଙ୍କୁ ଜଣାଥିବ ।’ ଶହ ଶହ ବର୍ଷ ହେଲା ଲୋକେ ଯାହାକୁ ଅପେକ୍ଷା କରିଥିଳେ, ଆଜି ତାହା ହୋଇ ପାରିଛି । ଏହାକୁ କିଛି ଲୋକ ହଜମ କରିପାରୁନାହାନ୍ତି ।
ସୂଚନାଯୋଗ୍ୟ, ଏକାମ୍ର ପ୍ରକଳ୍ପ ଭୂମିପୂଜନ ଏବଂ ଶିଳାନ୍ୟାସ ଉତ୍ସବରେ ସାମିଲ ହେବାକୁ ଦଳଗତ ନିର୍ବିଶେଷରେ ସମସ୍ତଙ୍କୁ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଥିଲେ । ଏକାମ୍ର କ୍ଷେତ୍ରରେ ଆଧ୍ୟାତ୍ମକ ପରିବେଶ ସୃଷ୍ଟି ହୋଇଥିବା ବେଳେ ରାଜ୍ୟ ବିଜେପି ନେତା ଏଠାରୁ ନିଜକୁ ଦୂରେଇ ରଖିଥିଲେ । ପ୍ରକଳ୍ପ ସ୍ଥଳକୁ ଆସିବା ଛାଡ଼ନ୍ତୁ, ବିଜେପି ନେତା ସମୀର ମହାନ୍ତି ଯେମିତି ନିମ୍ନସ୍ତରର ମନ୍ତବ୍ୟ ଦେଇଛନ୍ତି ତାହା ଗ୍ରହଣୀୟ ନୁହେଁ । ଏକାମ୍ର କ୍ଷେତ୍ରର ପରିବର୍ତ୍ତନ ବିଜେପି ନେତାଙ୍କ ଦେହରେ ଯାଉନାହିଁ
। ତାଙ୍କର ଡର, ଭଲ କାମ ହେଲେ ତାଙ୍କୁ କେହି ପଚାରିବେନି । ସେଥିପାଇଁ ଏମିତି ନିମ୍ନସ୍ତରର ମନ୍ତବ୍ୟ ଦେଉଛନ୍ତି । ହେଲେ ଏମିତି ନକରାତ୍ମକ ରାଜନୀତି କେତେଦିନ କରିବ । ନିଜ ଫାଇଦା ପାଇଁ ଆପଣଙ୍କ ଏମିତି ବାଚଳାମୀକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ ।’
ମହାପ୍ରଭୁ ଜଗନ୍ନାଥ ଏବଂ ପ୍ରଭୁ ଲିଙ୍ଗରାଜ ସମୀର ମହାନ୍ତିଙ୍କୁ ସଦବୁଦ୍ଧି ଦିଅନ୍ତୁ, ସେ ନକରାତ୍ମକ ରାଜନୀତି ଛାଡ଼ନ୍ତୁ ବୋଲି ଲେନିନ କହିଛନ୍ତି । ସେହିଭଳି ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି କହିଛନ୍ତି, ‘ରାଜ୍ୟ ବିଜେପି ନେତାମାନେ ଏକାମ୍ର ପ୍ରକଳ୍ପକୁ ବିରୋଧ କରିବା ରାଜ୍ୟବାସୀଙ୍କୁ ଗ୍ରହଣୀୟ ନୁହେଁ । ରାଜ୍ୟବାସୀ କେବେବି ତାଙ୍କୁ କ୍ଷମା ଦେବେନି ।

