ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ବୈଠକରେ ମିଶନ ଶକ୍ତି, କୃଷି, ସ୍ୱାସ୍ଥ୍ୟ, ଗଣଶିକ୍ଷା, ଜଳସମ୍ପଦ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଦକ୍ଷତା ବିକାଶ ଭଳି ବିଭିନ୍ନ ବିଭାଗର ୧୭ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମିଶନଶକ୍ତି ସ୍କୁଟର ଯୋଜନାକୁ ଅନୁମୋଦନ ମିଳିଛି। ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା କରାଯାଇଛି। କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏବଂ ଇସି ସଦସ୍ୟାମାନଙ୍କ ପାଇଁ ବୈଦ୍ୟୁତିକ ସ୍କୁଟର ପାଇଁ ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଛି । ଏଥିପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୫୦କୋଟି ଟଙ୍କାର ବଜେଟ୍ ଆବଣ୍ଟନ ପ୍ରସ୍ତାବ ରଖାଯାଇଛି ।
ସେହିପରି କ୍ୟାବିନେଟ୍ ବୈଠକରେ ବନ ସୁରକ୍ଷା ସମିତି ପାଇଁ କୋଠା ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥି ସହିତ ବକେୟା ଜଳକର ଆଦାୟ କରିବାକୁ OTS ବ୍ୟବସ୍ଥା କରାଯାଇଛି । ଏଥି ସହିତ କର୍କଟ ରୋଗୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା । ଓଡ଼ିଶା କମ୍ପ୍ରିହେନସିଭ କ୍ୟାନସର ପ୍ଲାନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି । ଚାଷୀ ମାନଙ୍କ ଆର୍ଥିକ ବିକାଶ ପାଇଁ ହାତ ଖୋଲି ଦେଇଛନ୍ତି ସରକାର । ୫ ପ୍ରତିଶତ ସୁଧରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ ସମବାୟ ସମିତିରୁ ଫସଲ ଋଣ ନେଉଥିବା ଚାଷୀଙ୍କ ଋଣ ଉପରେ ସୁଧ ଛାଡ କରାଯିବ। ଚଳିତ ଆର୍ଥିକ ବର୍ଷରୁ ଆଗାମୀ ୫ ବର୍ଷ ପାଇଁ ଏହି ସୁଧ ଛାଡ ବ୍ୟବସ୍ଥା ଲାଗୁ ହେବ । ସେହିପରି ରାଜ୍ୟରେ ସେମିକଣ୍ଡକ୍ଚର ଓ ଇଲେକଟ୍ରୋନିକ୍ସ ଚିପ ନିର୍ମାଣ ପାଇଁ ଆସିଛି ନୂଆ ନୀତି । ଯେଉଁମାନେ ଏହି କମ୍ପାନୀ ଶିଳ୍ପ ପ୍ରତିଷ୍ଠା କରିବେ ସେମାନଙ୍କୁ ନୂଆ ନୀତି ଆଧାରରେ ପ୍ରୋତ୍ସାହନ ଦିଆଯିବ ବୋଲି କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛି

