ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକ, ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବିଜେଡିରୁ ବହିସ୍କୃତ

ବିଜେଡିରୁ ବହିସ୍କୃତ ହେଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକ, ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ଏହି ୨ ବିଧାୟକଙ୍କୁ ଦଳରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ।
ସୌମ୍ୟ ପଟ୍ଟନାୟକଙ୍କ ‘ସମ୍ବାଦ’ର ପୂର୍ବତନ କର୍ମଚାରୀ ଇଓଡବ୍ଲୁରେ ଅତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସମ୍ବାଦର କର୍ମଚାରୀଙ୍କ ନାଁରେ ବ୍ୟାଙ୍କରୁ ଜାଲିଆତି କରି କୋଟି କୋଟି ଟଙ୍କାର ଲୋନ୍ ଉଠାଯାଇଛି ବୋଲି ଅନେକ ପୂର୍ବତନ କର୍ମଚାରୀ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ଏହି ଆଧାରରେ ସୌମ୍ୟଙ୍କ ବିରୋଧରେ ଆଇପିସିର ଧାରା ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦(ବି)ରେ ମାମଲା ରୁଜୁ ହୋଇଛି । ସଂଗଠିତ ବ୍ୟାଙ୍କ ଫ୍ରଡ୍ ର ଏହା ଏକ ସାଂଘାତିକ ମାମଲା ଏବଂ ୩୦୦ ରୁ ଅଧିକ କର୍ମଚାରୀ ଶୋଷଣର ଶିକାର ହୋଇଛନ୍ତି ବୋଲି ଇଓଡବ୍ଲୁ କହିଛି । ଏହା କେବଳ ସଙ୍ଗୀନ ଅପରାଧ ନୁହଁ, ଏହା ଏକ ଜନବିରୋଧୀ କାର୍ଯ୍ୟ ।
ସେହିଭଳି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ବାଲେଶ୍ୱରର ନିଗମାନନ୍ଦ ଆସୋସିଏଟସ୍ ମ୍ୟାନେଜିଂ ପାର୍ଟନର୍ ଥିଲା ବେଳେ ଅନ୍ୟମାନଙ୍କ ସହ ମିଶି ୨୦୧୭-୧୮ରୁ ୨୦୧୯-୨୦ ମଧ୍ୟରେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ୩ କୋଟିରୁ ଅଧିକ ସବସିଡି ଟଙ୍କା ହଡ଼ପ କରିଥିଲେ । ଲୋକାୟୁକ୍ତଙ୍କ ଆଦେଶକ୍ରମେ ରାଜ୍ୟ ଭିଜିଲାନସ୍ ଏହି ମାମଲାର ତଦନ୍ତ କରୁଛି । ଏହା ସମ୍ପୂର୍ଣ୍ଣ ଭାବେ ଏକ ଜନବିରୋଧୀ କାର୍ଯ୍ୟ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ।

Leave a Reply

Your email address will not be published. Required fields are marked *