ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ‘ଜନ ସମ୍ପର୍କ ପଦଯାତ୍ରା’। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ରାଜ୍ୟବ୍ୟାପୀ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ-୫୭ ସ୍ଥିତ ବରଗଡ଼ ବ୍ରିଟ୍ କଲୋନୀ ନେତାଜୀ ପଡ଼ିଆରୁ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଅକ୍ଟୋବର ୨ ତାରିଖରୁ ଅକ୍ଟୋବର ୧୧ ତାରିଖ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ପଦଯାତ୍ରା ଚାଲିବ। ଏହି ପଦଯାତ୍ରା ଅବସରରେ ଗାନ୍ଧୀ ଜୟନ୍ତୀ, ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ସମେତ ୯ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳନ କରାଯିବ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ସଂଯୋଜକ, ସାଂସଦ, ବିଧାୟିକା, ବିଧାୟକ, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ଛାମୁଆ ସଂଗଠନର ରାଜ୍ୟ ସଭାପତି, ବିଜେଡି ବ୍ଲକ ଓ ନଗର ସଭାପତିଙ୍କୁ ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଥିଲେ। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ପଦଯାତ୍ରା ପରେ ଅକ୍ଟୋବର ୧୨ ତାରିଖରୁ ମାସେ ବ୍ୟାପୀ ଦଳର ସକ୍ରିୟ ସଦସ୍ୟ/ସଦସ୍ୟାମାନଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଜିଲ୍ଲାପରିଷଦ ଜୋନ୍ ସ୍ତରୀୟ ଓ ପୌରାଞ୍ଚଳସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜନ କରାଯିବ। ଉପରୋକ୍ତ କାର୍ଯ୍ୟକ୍ରମ ପରେ ପରେ ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ବୈଠକ ଓ ଜନସମ୍ପର୍କ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ୱାର୍ଡରେ ଆମ ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଞ୍ଚାଇବ ଦଳ। ଏହା ସହିତ ବିଜେଡି ପକ୍ଷରୁ ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ ଓ ପରିବେଶ ପ୍ରତିବଦ୍ଧତାର କାର୍ଯ୍ୟକ୍ରମ ହାତକୁ ନିଆଯିବ।
ବିଜେଡି ସଭାପତି ନବୀନ ପଟ୍ଟନାୟକ ‘ଜନ ସମ୍ପର୍କ ପଦଯାତ୍ରା’ ଶୁଭାରମ୍ଭ କରିବା ସହ ଜନସଭାକୁ ସମ୍ଭୋଧନ କରି କହିଥିଲେ ଆଜିଠୁ ବିଜେଡି ପଦଯାତ୍ରା ଆରମ୍ଭ ହେଲା। ଏହି ଅବସରରେ ବାପୁଜୀଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି। ବାପୁଜୀ ଆମ ସମସ୍ତଙ୍କ ପାଇଁ ପ୍ରେରଣା। ସବୁ ଲୋକଙ୍କ ସନ୍ତୋଷ ହିଁ ଗଣତନ୍ତ୍ରର ବଡ଼ ସଫଳତା। ସାଧାରଣ ଲୋକର ଖୁସି ଆମର ସବୁଠାରୁ ବଡ଼ ଖୁସି । ତେଣୁ ବିଜେଡି ଗରିବ, ମା, ଯୁବ, ଏସି,ଏସଟିଙ୍କ କଲ୍ୟାଣ ପାଇଁ କାମ କରୁଛି। ସେମାନଙ୍କୁ ସଶକ୍ତ କରିବା ପାଇଁ କାମ କରୁଛି। ମହିଳା ମାନଙ୍କୁ ସମାଜରେ ଅଗ୍ରାଧିକାର ଦେବା ସ୍ୱପ୍ନ ବିଜୁ ବାବୁଙ୍କ ସ୍ୱପ୍ନ ଥିଲା। ଯେଉଁଥି ପାଇଁ ଆମେ ପ୍ରୟାସ କରି ଆସୁଥିଲୁ। ଆଉ ଖୁସିର କଥା ମହିଳାମାନଙ୍କର ୩୩ ପ୍ରତିଶତ ସଂରକ୍ଷଣ ଆଇନ ଆସିଲା। ବିଜେଡିର ବହୁଦିନର ପ୍ରୟାସ ସଫଳ ହେଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

