ଆରମ୍ଭ ହୋଇଯାଇଛି ଦଶହରା ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁ ଠୁ ସହର। ପୀଠରେ ମା’ଙ୍କର ଆଜି ନବମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାଷ୍ଟମୀ ପୂଜା ହେଉଛି । ରାଜଧାନୀ ଭୁବନେଶ୍ବର, ସିଲଭର ସିଟି କଟକ, ଷ୍ଟିଲ ସିଟି ରାଉରକେଲା, ସିଲକ୍ ସିଟି ବ୍ରହ୍ମପୁର, ସମ୍ବଲପୁର, ଯାଜପୁର ସମେତ ସାରା ରାଜ୍ୟରେ ପାର୍ବଣ ପାଇଁ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ମହାଷ୍ଟମୀ ପୂଜା କରିବା ଲାଗି ମଣ୍ଡପ ଗୁଡିକରେ ମହିଳା ମାନଙ୍କର ଭିଡ ଦେଖିବାକୁ ମିଳିଛି । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ ।
ଅନ୍ୟପଟେ ମା’ ଦୁର୍ଗାଙ୍କ ପୂଜା ପାଇଁ ବଡ଼ ବଡ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର ଓ କଟକ । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ସହର । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି ।ଘଣ୍ଟଘଣ୍ଟା ଓ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ଭକ୍ତି ଭାବରେ ଦର୍ଶନ କରୁଛନ୍ତି ଭକ୍ତ । ନବରାତ୍ରଠାରୁ ମା’ଙ୍କ ବିଭିନ୍ନ ବେଶ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି ଶ୍ରଦ୍ଧାଳୁ । ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ଭଟ୍ଟାରିକାଙ୍କ ପୀଠରେ ବି ଚାଲିଛି ମାଆଙ୍କ ସ୍ବତନ୍ତ୍ର ନୀତିକାନ୍ତି । ଝଙ୍କଡ଼ବାସିନୀ ମା’ ଶାରଳାଙ୍କ ପୀଠରେ ବି ପାଳିତ ହୋଇଛି ନବମୀ ପୂଜା ।ସେହିଭଳି ବାଙ୍କୀ ରେ ମା ଚର୍ଚ୍ଚିକାଙ୍କ ପୀଠରେ ଚାଲିଛି ପୂଜା |
ସେପଟେ ପୂଜା ପାଇଁ ସହରରେ ଜମୁଛି ଭକ୍ତଙ୍କ ଭିଡ। ରାତି ୧୨ଟା ଯାଏ ରାଜଧାନୀରେ ଭିଡ ଦେଖିବାକୁ ମିଳୁଛି । ବିଶେଷକରି ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପ୍ରବଳ ଭିଡ ଦେଖିବାକୁ ।
2023-10-22

