ଶିକ୍ଷକ ନିଯୁକ୍ତ ପ୍ରସଙ୍ଗରେ ସବୁ ଜାଣି ଅଜଣା ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ: ପ୍ରଣବ ପ୍ରକାଶ ଦାସ

ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ସବୁ ଜାଣି ଅଜଣା ହେବାର ନାଟକ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସରକାରଙ୍କ ମିନି ରତ୍ନ ସଂସ୍ଥା କରିଛି ଶିକ୍ଷକ ନିଯୁକ୍ତି । ଟୁଇଟ୍‍ ଜରିଆରେ ଧର୍ମେନ୍ଦ୍ରଙ୍କୁ ଏଭଳି ଜବାବ ଦେଇଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
ଶ୍ରୀ ଦାସ ଟୁଇଟ୍‍ କରି କହିଛନ୍ତି ଯେ ଧର୍ମେନ୍ଦ୍ର ଭାଇ ଆପଣ ବୋଧେ ଜାଣି ନାହାନ୍ତି କିମ୍ବା ଜାଣିକି ନାଟକ କରୁଛନ୍ତି । ଶିକ୍ଷକ ନିଯୁକ୍ତିର ପୂରା ପ୍ରକ୍ରିୟା କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍‍ ଜରିଆରେ କରାଯାଇଛି, ଯାହା ଆପଣଙ୍କ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଛି । ଏହି କେନ୍ଦ୍ରୀୟ ସଂସ୍ଥାଟି ‘ମିନି ରତ୍ନ’ ବର୍ଗରେ ଆସୁଛି । ଆପଣ କ’ଣ କହିବାକୁ ଚାହୁଛନ୍ତି ଯେ ଆପଣଙ୍କ ନିଜସ୍ୱ ସଂସ୍ଥା ନିଯୁକ୍ତ ପ୍ରକ୍ରିୟାରେ ଜାଲିଆତି କରିଛି ?
ପ୍ରଣବ ପୁଣି ଦର୍ଶାଇଛନ୍ତି ଯେ କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍‍ କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ଆରମ୍ଭ କରି ଜବାହାର ନବୋଦୟ ବିଦ୍ୟାଳୟ, ଏମସ୍‍, ଭାରତୀୟ ସେନା ଏବଂ ଅନ୍ୟାନ୍ୟ ସଂସ୍ଥାପାଇଁ ହଜାର ହଜାର ସଂଖ୍ୟାରେ ନିଯୁକ୍ତି କରିଥାଏ । ସେଠି ମଧ୍ୟ କ’ଣ ଅନିୟମିତତା ହୋଇଥିବା ଆପଣ କହିବାକୁ ଚାହୁଁଛନ୍ତି ?
ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ପ୍ରଣବ ପୁଣି କହିଛନ୍ତି ଯେ, ଆପଣଙ୍କ ନିଜ ସଂସ୍ଥା ନିଯୁକ୍ତି କରିଛି । ହେଲେ କିଛି ନବୁଝି ଡାହା ମିଛ ଓ ନିରାଧାର କଥା କହିବାରେ ଆପଣଙ୍କ ଅହେତୁକ ଆଗ୍ରହ ଦେଖି ଲୋକେ ହସିବା ଆରମ୍ଭ କଲେଣି । ଲାଗୁଛି, ମାହାଲ ମାଣ୍ଡାକୁ ସୃଷ୍ଟି କରିବାରେ ଆପଣଙ୍କର ବଡ ଭୂମିକା ରହିଛି ବୋଲି ଟୁଇଟ୍‍ ଜରିଆରେ ଧର୍ମେନ୍ଦ୍ରଙ୍କୁ ଏଭଳି କହିଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

Leave a Reply

Your email address will not be published. Required fields are marked *