୧୯୯୦ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ମନୋଜ ଆହୁଜା ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ

୧୯୯୦ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ମନୋଜ ଆହୁଜା ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆସନ୍ତା ୩୦ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିବା ପରେ ଶ୍ରୀ ଆହୁଜା ଦାୟିତ୍ବ ଗ୍ରହଣ କରିବେ।ଶ୍ରୀ ଆହୁଜା କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ରହିଥିଲେ। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର କ୍ୟାବିନେଟ ଓଡ଼ିଶା କ୍ୟାଡରର ଆଇଏଏସ ଅଫିସର ମନୋଜ ଆହୁଜାଙ୍କୁ ଓଡ଼ିଶା ଫେରିବା ନିମନ୍ତେ ଅନୁମତି ଦେଇଥିଲେ। ତେବେ କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ବରିଷ୍ଠ ପ୍ରଶାସକ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି।

ଶ୍ରୀ ଆହୁଜା ଜଣେ ଦକ୍ଷ, ଅମାୟିକ, ନିରପେକ୍ଷ ଓ ସଚ୍ଚୋଟ ଅଧିକାରୀ ଭାବେ ତାଙ୍କର ପରିଚିତି ରହିଛି। ସେ ୨୦୧୭ ମସିହାରୁ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇଥିଲେ। ସେଠାରେ ସେ ବିଭିନ୍ନ ବିଭାଗରେ ସଫଳତାର ସହ ଦାୟିତ୍ବ ନିର୍ବାହ କରିଥିଲେ। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ସିବିଏସ୍‌ଇର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏବେ ସେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଓଡ଼ିଶାରେ ବିଜେପି ସରକାର ଆସିଲା ପରେ ତାଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ। ଗତ ୨୪ ତାରିଖରେ କ୍ୟାବିନେଟ୍‌ର ନିଯୁକ୍ତି ସଂକ୍ରାନ୍ତୀୟ କମିଟି ତାଙ୍କୁ ଓଡ଼ିଶା ଫେରିବା ପାଇଁ ଅନୁମତି ଦେଇଥିଲା। ଶ୍ରୀ ଆହୁଜାଙ୍କ ଘର ହରିଆନାରେ। ଆସନ୍ତା ଡିସେମ୍ବର ମାସରେ ସେ ଚାକିରୁ ଅବସର ନେବେ। ତେବେ ତାଙ୍କର କାର୍ଯ୍ୟକାଳ ବଢ଼ିପାରେ ବୋଲି ପ୍ରଶାସନିକ ମହଲରେ ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *