ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିର ବରିଷ୍ଠ ନେତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ନିତ୍ୟ ଆବଶ୍ୟକୀୟ ଜିନିଷ ଗୁଡ଼ିକର ଅହେତୁକ ଦରବୃଦ୍ଧିକୁ ନେଇ ଆଜି ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି । ଶ୍ରୀମତୀ ମଲ୍ଲିକ କହିଥିଲେ, ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନର ନାରା ଦେଇ ରାଜ୍ୟରେ ବିଜେପି ସରକାର ଦାୟିତ୍ୱ ନେବାର ଏକମାସ ପୁରି ନାହିଁ କିନ୍ତୁ ପ୍ରତିଦିନ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକୀୟ ଜିନିଷ ଗୁଡିକର ଦର ଆକାଶ ଛୁଆଁ ହେବାରେ ଲାଗିଛି । ଚାଉଳ, ଡାଲି, ଅଟା, ତେଲ, ଜିରା ଇତ୍ୟାଦିର ଦର ବୃଦ୍ଧି କିଲୋ ପିଛା ପ୍ରାୟ ପାଞ୍ଚ ଟଙ୍କାରୁ କୋଡିଏ ଟଙ୍କା ବୃଦ୍ଧି ହୋଇଥିବା ବେଳେ ବିଭିନ୍ନ ପନି ପରିବା ଦର ମଧ୍ୟ ଆକାଶଛୁଆଁ ହୋଇଛି । ଏହି ଦର ବୃଦ୍ଧି କାରଣରୁ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଶ୍ରୀମତୀ ମଲ୍ଲିକ କହିଥିଲେ ଯେ , ଚାଉଳ କିଲୋ ଦର ପ୍ରାୟ ପାଞ୍ଚ ଟଙ୍କା ବୃଦ୍ଧି ପାଇଥିବା ବେଳେ ଡାଲି ଦରରେ ପ୍ରତି କିଲୋ ପ୍ରାୟ ଦଶ ଟଙ୍କା ବୃଦ୍ଧି ପାଇଛି । ହରଡ଼ ଡାଲି ଦର ପ୍ରତି କିଲୋ ୧୮୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ବୁଟ ଡାଲି ଦର ପ୍ରତି କିଲୋ ନବେ ଟଙ୍କା ହୋଇଛି । ସେହିପରି ସୋରିଷ ତେଲ ଦରରେ ମଧ୍ୟ ପ୍ରତି ଲିଟର ପିଛା ପ୍ରାୟ ଦଶ ଟଙ୍କା ବୃଦ୍ଧି ପାଇଛି । ଅପର ପକ୍ଷରେ ଆଳୁ ପିଆଜ ଦର ମଧ୍ୟ ବୃଦ୍ଧି ପାଇଛି । ଆଳୁ ଦର ପ୍ରତି କିଲୋ ୩୫ ଟଙ୍କା ପିଆଜ ଦର ପ୍ରତି କିଲୋ ୪୫ ଟଙ୍କା ହୋଇଛି । ସେହିପରି ଅନ୍ୟାନ୍ୟ ପନିପରିବା ଦର ମଧ୍ୟ ଅହେତୁକ ବୃଦ୍ଧି ପାଇଛି । ଝୁଡ଼ଙ୍ଗ ପ୍ରତି କିଲୋ ୧୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବିନ୍ସ ଦର ପ୍ରତି କିଲୋ ୨୫୦ ଟଙ୍କା ହୋଇଛି । ପୋଟଳ, ଟମାଟର, ବାଇଗଣ ଇତ୍ୟାଦି ପରିବା ଦର ପ୍ରତି କିଲୋ ୧୦୦ ଟଙ୍କା ହୋଇଛି । ଅଦା ଓ ରସୁଣ ଦର ମଧ୍ୟ ପ୍ରତି କିଲୋ ପ୍ରାୟ ପଚାଶ ଟଙ୍କା ବୃଦ୍ଧି ପାଇଛି ।
ଶ୍ରୀମତୀ ସାମନ୍ତସିଂହାର କହିଥିଲେ, ନିତ୍ୟ ଆବଶ୍ୟକ ଜିନିଷ ଗୁଡିକର ଦର ହୁ ହୁ ହୋଇ ବଢ଼ି ଚାଲିଥିଲେ ମଧ୍ୟ ରାଜ୍ୟ ସରକାର ନିଦାବିଷ୍ଣୁ ସାଜିଛନ୍ତି । ଏହି ଦରବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ପନିପରିବା ଦର ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ କୌଣସି ଭୂମିକା ନାହିଁ ବୋଲି ନିକଟରେ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସମ୍ଭବତଃ ରାଜ୍ୟ ସରକାର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବ୍ୟସ୍ତ ଅଛନ୍ତି ଓ ଲୋକଙ୍କର ଦୁଃଖ ଦୁର୍ଦ୍ଦଶାକୁ ଦୂର କରିବା ପାଇଁ ତାଙ୍କ ପାଖରେ ସମୟ ନାହିଁ । ସଚେତନ ବିରୋଧୀ ଦଳ ଭାବେ ଆମେ ରାଜ୍ୟ ସରକାରଙ୍କୁ ଚେତାଇ ଦେବାକୁ ଚାହୁଁଛୁ ଦରଦାମ ନିୟନ୍ତ୍ରଣ ଉପରେ ତୁରନ୍ତ ପଦକ୍ଷେପ ନିଅନ୍ତୁ । କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ୨୮.୦୭.୨୦୨୩ରେ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଅତ୍ୟାବଶ୍ୟକ ଜିନିଷର ଦରଦାମ ବୃଦ୍ଧି ଉପରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ସବିଶେଷ ବିବରଣୀ ରଖିଥିଲେ । ଶ୍ରୀ ଚୌବେଙ୍କ ଏହି ବିବରଣୀକୁ ଉଦ୍ଧ୍ରୁତ କରି ଶ୍ରୀମତୀ ସାମନ୍ତସିଂହାର କହିଥିଲେ, ଡବଲ ଇଞ୍ଜିନ ବିଜେପି ସରକାର ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ସାହାଯ୍ୟ ନେଇ ଓଡ଼ିଶାରେ ଦରଦାମକୁ ନିୟନ୍ତ୍ରଣରେ ରଖନ୍ତୁ । ସରକାର ତୁରନ୍ତ ପଦକ୍ଷେପ ନେବାରେ ଅବହେଳା କଲେ, ବିଜୁ ଜନତା ଦଳ ରାଜ୍ୟବାସୀଙ୍କ ହିତରେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବ ବୋଲି ଦୁଇ ବରିଷ୍ଠ ମହିଳା ନେତ୍ରୀ କହିଥିଲେ ।
2024-07-03

