ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଧାନସଭାରେ ଲଢେଇ କରିବୁ: ବିଜେଡି

ଶଙ୍ଖ ଭବନଠାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଧାୟକ ଦଳ ବୈଠକରେ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ବିଧାନସଭାରେ ଲଢ଼େଇ କରିବ ବିଜେଡି । ଓଡ଼ିଶାବାସୀ ବିରୋଧୀ ଦଳ ଭାବେ ବିଜେଡିକୁ ଯେଉଁ ଦାୟିତ୍ବ ଦେଇଛନ୍ତି ତାହାକୁ ସୁଚାରୁରୂପେ ପାଳନ କରିବ । ଆରମ୍ଭ ହେଉଥିବା ବିଧାନସଭାର ଅଧିବେଶନରେ ଦଳର ଆଭିମୁଖ୍ୟ ନେଇ ବିଧାୟକଙ୍କ ସହ ନବୀନ ଆଲୋଚନା କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ।

ଶ୍ରୀ ଦେବ କହିଛନ୍ତି ଯେ, ଦିବଙ୍ଗତ ପଦ୍ମଶୀ କମଳା ପୂଜାରୀଙ୍କ ପାଇଁ ଶୋକ ବାର୍ତ୍ତା ଦେଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସମସ୍ତ ବିଧାୟକ ଉପସ୍ଥିତ ଥିଲେ। ଆଗକୁ ହେବାକୁ ଥିବା ବିଧାନସଭା ପାଇଁ ବିଜୁ ଜନତା ଦଳର ରଣନୀତି ନେଇ ଆଲୋଚନା ହୋଇଥିଲା। ଦଳ ସଭାପତି ନବୀନ ପଟ୍ଟନାୟକ ବିଧାୟକଙ୍କୁ ଯେଉଁ ବିଭିନ୍ନ ବିଭାଗର ଦାୟିତ୍ୱ ଦେଇଛନ୍ତି। ସେଥିପାଇଁ ପ୍ରସ୍ତୁତ ହେବୁ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକୁ ତଦାରଖ କରିବା ପାଇଁ ଆଲୋଚନା ହୋଇଥିଲା। ରାଜ୍ୟର ସାଧାରଣ ଜନତାଙ୍କ ହିତ ପାଇଁ ବିରୋଧୀ ଦଳ ହିସାବରେ ଆଗାମୀ ବିଧାନସଭାରେ ରଣନୀତିକୁ ଶାଣିତ କରିବୁ। ସରକାର କିଭଳି ଲକ୍ଷ୍ୟ ବିଚ୍ୟୁତ ନହେବେ ତାହାକୁ ଆମେ ଅନୁଧ୍ୟାନ କରିବୁ। ସକରାତ୍ମକ ଭାବେ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ ଉଠାଇବୁ।

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଯେଉଁ କଥା କହି ବିଜେପି ଦଳ ସରକାରକୁ ଆସିଛି, ପ୍ରଥମେ ସେହି ପ୍ରସଙ୍ଗ ଉଠିବ। ଧାନ, ବିଦ୍ୟୁତ ଓ ଭତ୍ତା ଆଦି ପ୍ରତିଶ୍ରୁତି ପୂରଣ କରୁଛନ୍ତି କି ନାହିଁ, ତାହା ଉପରେ ଆମେ ନଜର ରଖିବା ସହ ବିଧାନସଭାରେ ଉପସ୍ଥାପନ କରିବୁ।

Leave a Reply

Your email address will not be published. Required fields are marked *