ଶଙ୍ଖ ଭବନ ଯେଉଁ ଜମି ଉପରେ ନିର୍ମାଣ ହୋଇଛି, ତାହା ସମ୍ପୂର୍ଣ୍ଣ ଆଇନ ସମ୍ମତ: ଦେବୀ ମିଶ୍ର

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦ୍ୱାରା ଶଙ୍ଖ ଭବନ ସମ୍ପର୍କିତ ଦିଆଯାଇଥିବା ବିବୃତି ଉପରେ ବିଜେଡ଼ି ମୁଖପାତ୍ର ଦେବୀ ମିଶ୍ର ଦଳ ତରଫରୁ ସ୍ପଷ୍ଟୀକରଣ ଦେଇଛନ୍ତି । ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ଯେଉଁ ଜମି ଉପରେ ନିର୍ମାଣ ହୋଇଛି, ତାହା ସମ୍ପୂର୍ଣ୍ଣ ଆଇନ ସମ୍ମତ ଭାବେ ବିଜୁ ଜନତା ଦଳକୁ ଆବଣ୍ଟନ କରାଯାଇଥିଲା । ଏହି ଆବଣ୍ଟନ ବେଞ୍ଚ ମାର୍କ ଭ୍ୟାଲୁ ଆଇନ ଆଧାରରେ କରାଯାଇଛି । ମୌଜା-ଗଙ୍ଗନଗର, ୟୁନିଟ୍ ୬, ତହସିଲ-ଭୁବନେଶ୍ୱର, ଖାତା ନମ୍ୱର ୧୧୨, ପ୍ଲଟ ନମ୍ବର ୭୯୭ ପାର୍ଟ, ୭୯୮ ପାର୍ଟ, ୮୦୦, ୭୯୭/୮୪୯ରେ ଥିବା ପ୍ଲଟଗୁଡ଼ିକୁ କମ୍ପାକ୍ଟ ପାର୍ସଲରେ ପଟା ଦିଆଯାଇଛି । ଗଙ୍ଗନଗରର ଅଞ୍ଚଳର ୨୦୨୧ ମସିହାର ବେଞ୍ଚ ମାର୍କ ଭ୍ୟାଲୁ ଅନୁସାରେ ସରକାରଙ୍କ ଦ୍ୱାରା ସ୍ଥିରୀକୃତ କରାଯାଇଥିବା ପରିମାଣକୁ ବିଜେଡ଼ି ଦ୍ୱାରା ପୈଠ କରାଯାଇଥିଲା ।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କମିଟି ବୈଠକରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକଙ୍କ ଆବେଦନ ଅନୁଯାୟୀ ବିଜେଡି ଅଫିସ ପାଇଁ ୧ ଏକର ୧୮୩. ଜମି ପ୍ରଦାନ କରାଯାଇଥିଲା । । ସେହି ଉଚ୍ଚସ୍ତରୀୟ କମିଟି ବୈଠକରେ ବିଜେପି ଅଫିସ ପାଇଁ ଖାରବେଳ ନଗରରେ ୧ ଏକର ୨୬୯. ଜମି ପ୍ରଦାନ କରାଯାଇଥିଲା । ବିଜେଡ଼ିକୁ ପ୍ରଦାନ କରାଯାଇଥିବା ଦୁଇଟି କ୍ୱାର୍ଟର ଭିତରେ କଞ୍ଜରଭାନ୍ସି ଲେନ୍ ବା ଉପଗଳିକୁ ଓଜିଏଲ୍ଏସ୍ ରୁଲ ୮ ଉପଧାରା ୪ ଅନୁଯାୟୀ ଇନଷ୍ଟିଚୁ୍ୟସନାଲ ରେସିଡେନ୍ସି ନିୟମରେ ଆବଣ୍ଟନ କରାଯାଇଛି । ଏହି ଦୃଷ୍ଟିରୁ ଦୁଇଟି କ୍ୱାର୍ଟର ମଝିରେ ଥିବା ଉପଗଳିକୁ ସଡ଼କ ବୋଲି ରାଜସ୍ୱ ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ଭୁଲ୍ । ରାଜସ୍ୱ ମନ୍ତ୍ରୀଙ୍କୁ ବୋଧେ ସଠିକ ତଥ୍ୟ ଅବଗତ କରାଯାଇ ନାହିଁ ବୋଲି ଶ୍ରୀ ମିଶ୍ର କହିଥିଲେ ।
ଏବଂ ଦଳର ଅନ୍ୟତମ ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତି କହିଥିଲେ, ବିଜେପିର ଏହା ଅସହିଷ୍ଣୁ ନୀତି । ଶଙ୍ଖ ଭବନ ସମ୍ପର୍କରେ ମିଡ଼ିଆରେ ଗୁଜବ ଉପୁଜାଇ ସାଧାରଣରେ ବିଭ୍ରାନ୍ତ କରିବା ବିଜେପିର ଉଦେ୍ଦଶ୍ୟ । କେବଳ ବ୍ଲେମ ଗେମ କରି ଉପର ଠାଉରିଆ ଭାବେ ବିଜେପି ଖସିଯିବାକୁ ଚାହୁଁଛି । ଜଣେ ସାଧାରଣ ଲୋକ କହିଥିଲେ ଦୁଃଖ ଲାଗି ନଥାନ୍ତା, ହେଲେ ରାଜସ୍ୱ ମନ୍ତ୍ରୀ ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ । ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛନ୍ତି, ତାହା ପୂରଣ କରନ୍ତୁ ।

Leave a Reply

Your email address will not be published. Required fields are marked *