ବିଜେପି କର୍ମୀଙ୍କ ଗୁଣ୍ଡାରାଜରେ ରାଜ୍ୟବାସୀ ଅତିଷ୍ଠ: ବିଜେଡି

ରାଜ୍ୟରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ ଘଟଣା ବଢ଼ି ଚାଲୁଛି ଓ ସେମାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଦାୟର ହେବା ପରେ ମଧ୍ୟ ପୋଲିସ ସେମାନଙ୍କୁ ଗିରଫ କରିବାକୁ ଟାଳ ଟୁଳ ନୀତି ଅଵଲମ୍ବନ କରୁଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି। ଶଙ୍ଖଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ଼ଃ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଗତ ଡିସେମ୍ବର ୨୬ ତାରିଖରେ ବାଲେଶ୍ଵର ଜିଲ୍ଲାର ମୁଖୁରା ପଞ୍ଚାୟତର ଛଣଖଣପୁର ଗ୍ରାମରେ ଘଟିଥିବା ଘଟଣାରେ ତିନି ମହିଳା ସମେତ ଚାରି ଜଣଙ୍କ ଉପରେ କିଛି ଦୁର୍ବୁର୍ତ୍ତଙ୍କ ଦ୍ୱାରା ଅମାନବୀୟ ଅତ୍ୟାଚାର କରାଯାଇଛି ଓ ଏହା ରାଜ୍ୟର ବିପର୍ୟ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି। ଘଟଣା ବିଷୟରେ, ରେମୁଣା ଥାନାରେ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିମାନେ ଅଭିଯୋଗ କରିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ।
ଡ଼ଃ ସାମନ୍ତ ସିଂହାର କହିଛନ୍ତି, ଡିସେମ୍ବର ୨୬ ତାରିଖରେ, ଗୋବିନ୍ଦ ସିଂଙ୍କ ଘରେ ସେହି ଅଞ୍ଚଳର ବାସିନ୍ଦା ସୁବାସିନୀ ସିଂ, ସୁକାନ୍ତି ସିଂ ଉପସ୍ଥିତ ଥିବା ସମୟରେ ବାଦଲ ପଣ୍ଡା ନାମକ ଜଣେ ବିଜେପି କର୍ମୀ ଓ ତାଙ୍କର କିଛି ସହଯୋଗୀ ଅତର୍କିତ ଭାବେ ଗୋବିନ୍ଦଙ୍କ ଘରେ ପଶିଆସି ଗୋବିନ୍ଦ ତାଙ୍କ ଭଉଣୀ ମୁନି ସିଂ, ବନ୍ଧୁ ସୁବାସିନୀ ସିଂ ଓ ସୁକାନ୍ତି ସିଂଙ୍କୁ ବାହାରକୁ ଭିଡି ନେଇ ଉଲଗ୍ନ କରି, ଜୋତାରେ ମାଡ ମାରି ସମ୍ବେଦନଶୀଳ ସ୍ଥାନରେ ଗୋଇଠା ମାରି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଘୋର ନିର୍ୟାତନା ଦେଇଥିଲେ । ଏହି ଘଟଣା ଦିନ ତମାମ ଚାଲିଥିଲା। ଘଟଣା ବିଷୟରେ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କ ଦ୍ୱାରା ରେମୁଣା ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ପ୍ରଥମେ ଏଫଆଇଆର ଗ୍ରହଣ କରିବାକୁ ଟାଳଟୁଳ ନୀତି କରୁଥିଲା। କିନ୍ତୁ, ଚାପ ପଡିବା ପରେ ଡିସେମ୍ବର ୨୭ ତାରିଖରେ ଅଭିଯୋଗ ଦାଖଲ କରାଯାଇଥିଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତ ବାଦଲ ପଣ୍ଡାଙ୍କୁ ଏ ପର୍ୟ୍ୟନ୍ତ ଗିରଫ କରାଯାଇନାହିଁ। ବାଦଲ ପଣ୍ଡା ଜଣେ ବିଜେପି କର୍ମୀ ଓ ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆଙ୍କ ଘନିଷ୍ଠ ସହଯୋଗୀ। ସମ୍ଭବତଃ ସେହି କାରଣରୁ, ପୋଲିସ ବାଦଲ ପଣ୍ଡାଙ୍କୁ ଗିରଫ କରୁନାହିଁ। ଏହି ଘଟଣାରେ ସ୍ଥାନୀୟ ବିଧାୟକ, ସାଂସଦ ମୁହଁ ଖୋଲୁନାହାନ୍ତି କାହିଁକି ? ଏହା ଜନଜାତି ମହିଳାଙ୍କ ଉପରେ ଆକ୍ରମଣ ଘଟଣା ହୋଇଥିବାରୁ, ଏସଟି ଅଟ୍ରୋ୍ସିଟି ଆକ୍ଟରେ କେସ କରିବା ସହ ମୁଖ୍ୟ ଅଭିଯୁକ୍ତ ବାଦଲ ପଣ୍ଡାଙ୍କୁ ତୁରନ୍ତ ଗିରଫ କରିବାକୁ ଆମେ ଦାବି କରୁଛୁ ଏବଂ ବିଜୁ ଜନତା ଦଳ ମହିଳା କମିଶନ, ଏସଟି କମିଶନ, ମାନବାଧିକାର କମିଶନଙ୍କ ପାଖରେ ଫେରାଦ ହୋଇ ନ୍ୟାୟ ଦାବି କରିବ ବୋଲି ଡ଼ଃ ସାମନ୍ତସିଂହାର କହିଥିଲେ।

Leave a Reply

Your email address will not be published. Required fields are marked *