ଦରଦାମ ବୃଦ୍ଧି ବିରୋଧରେ ଜାନୁଆରୀ ୬ରେ ଲୋୟର ପିଏମଜିରେ ଗର୍ଜିବ ବିଜୁ ଛାତ୍ର ଜନତା ଦଳ

ରାଜ୍ୟରେ ଅତ୍ୟାବଶକୀୟ ଜିନିଷର ଦରଦାମ ବୃଦ୍ଧି ବିରୋଧରେ ବିଜୁ ଜନତା ଦଳ ତରଫରୁ ଆସନ୍ତା ଜାନୁଆରୀ ୬ ତାରିଖରେ ହେବାକୁ ଥିବା ଗଣବିକ୍ଷୋଭକୁ ସଫଳ କରିବା ପାଇଁ ଆଜି ଶଙ୍ଖ ଭବନ ଠାରେ ବିଜୁ ଛାତ୍ର ଜନତା ଦଳର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର, କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ସଞ୍ଜୟ ଦାସବର୍ମା, ବରିଷ୍ଠ ନେତା ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସମେତ ରାଜ୍ୟ କର୍ମକର୍ତ୍ତା ଓ ବିଭିନ୍ନ କ୍ୟାମ୍ପସର ଛାତ୍ର ନେତାମାନେ ଉପସ୍ଥିତ ଥିଲେ । ଓଡ଼ିଶାର କୋଣ ଅନୁକୋଣରୁ ଛାତ୍ରମାନେ ଆସି ଓଡ଼ିଶାର ସ୍ୱାର୍ଥରେ ରାଜରାସ୍ତାରେ ଲଢେଇ କରିବା ପାଇଁ ଛାତ୍ର ସଭାପତି ଆହ୍ୱାନ କରିଥିଲେ । କିଭଳି ଶାନ୍ତିଶୃଙ୍ଖଳାରେ ଛାତ୍ରମାନେ ଆସି କାର୍ଯ୍ୟକ୍ରମକୁ ସଫଳ କରିବେ ସେ ବିଷୟରେ ଦେବୀ ପ୍ରସାଦ ମିଶ୍ର ଉପଦେଶ ଦେଇଥିଲେ ।
ବିଜୁ ଛାତ୍ର ଜନତା ଦଳ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବାକୁ ଉପସ୍ଥିତ ଥିବା କର୍ମକର୍ତ୍ତା ମାନଙ୍କୁ ଶ୍ରୀ ପ୍ରଣବ ପ୍ରକାଶ ଦାସ ଆହ୍ୱାନ କରିଥିଲେ । ଛାତ୍ରମାନେ ପୁରା କାର୍ଯ୍ୟକ୍ରମକୁ କିଭଳି ସଫଳ କରାଇବେ ସେ ବିଷୟରେ ଶ୍ରୀ ସଞ୍ଜୟ ଦାସବର୍ମା ମତ ରଖିଥିଲେ । ଭାରତବର୍ଷରେ ଦରଦାମ ବୃଦ୍ଧିର ପ୍ରତିଶତ ପ୍ରଥମ ୩ଟି ରାଜ୍ୟ ଭିତରୁ ଓଡ଼ିଶା ଅନ୍ୟତମ । ଡବଲ ଇଞ୍ଜିନ ସରକାରରେ ଖାଦ୍ୟ, ବସ୍ତ୍ର ଓ ଔଷଧ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ଆଜି ଆକାଶଛୁଅାଁ । ଏହି କାରଣ ଯୋଗୁଁ ରାଜ୍ୟବାସୀ ଅତିଷ୍ଠ ହେଲେଣି, କିନ୍ତୁ ରାଜ୍ୟ ବିଜେପି ସରକାର ନିଦାବିଷ୍ଣୁ ସାଜିଛି । ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ଏହି ଗଣବିକ୍ଷୋଭର ଡାକରା ଦେଇଛି । ଏହି ଗଣବିକ୍ଷୋଭରେ ବିଜୁ ଛାତ୍ର ଜନତା ଦଳର ୫ ହଜାର ଛାତ୍ରଛାତ୍ରୀ ସାମିଲ ହୋଇ ନବୀନ ବାବୁଙ୍କ ନେତୃତ୍ୱରେ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେଇ କରିବେ ।
ଏହି ପ୍ରସ୍ତୁତି ବୈଠକରେ ଦଳର ବରିଷ୍ଠ ନେତୃତ୍ୱ ମାନଙ୍କ ସହ ଛାତ୍ର ବିଜେଡି ର ରାଜ୍ୟ କର୍ମ କର୍ତ୍ତା ରାଜେଶ ରାଜ ସ୍ୱାଇଁ, ବିଶ୍ୱପ୍ରତାପ ସାହୁ,ମିକୁ ପ୍ରଧାନ, ଇପ୍ସିତା ସାହୁ, ପ୍ରଦୋଷ ପରିଡ଼ା, ଦେବସ୍ମିତା ଦାସ, ଅରୂପ ଶ୍ରୀଚନ୍ଦନ,ବିଜୟଲକ୍ଷ୍ମୀ ଦାସ, ସ୍ୱାଗତିକା ମହାନ୍ତି, ସୌମ୍ୟ ରଞ୍ଜନ ମହାପାତ୍ର, ସୁବାସ ସାହୁ, ଅସିତ୍ ଦାସ, ରଞ୍ଜିତ ନାୟକ, ଦେବୀ ପ୍ରସାଦ ରାଉତରାୟଙ୍କ ସମେତ ବହୁ ଛାତ୍ର ନେତା ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *