ଉକ୍ରର୍ଷ ଓଡିଶା କାର୍ଯ୍ୟକ୍ରମ ବେଳେ ବିସ୍ଥାପିତଙ୍କ ଉପରେ ମରଣାନ୍ତକ ଆକ୍ରମଣ ନିନ୍ଦନୀୟ: ବିଜେଡି

ରାଜ୍ୟରେ ଗତକାଲି ଗୋଟିଏ ପଟେ ଉକ୍ରର୍ଷ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ ଚାଲିଥିବା ବେଳେ କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ଆନେ୍ଦାଳନ କରୁଥିବା ବିସ୍ଥାପିତ ମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ଘଟଣାକୁ ନେଇ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ।
ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ମେକ ଇନ ଓଡିଶା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ଯାହା ମାଧ୍ୟମରେ ୧୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶର ପ୍ରତିଶ୍ରୁତି ମିଳିଥିଲା । ନବୀନଙ୍କ ଉଦ୍ୟମରେ ଓଡିଶା ପ୍ରତିଷ୍ଠିତ ଶିଳ୍ପ ଅନୁଷ୍ଠାନ ଗୁଡିକର ପ୍ରଥମ ପସନ୍ଦର ସ୍ଥାନ ହୋଇପାରିଥିଲା । ପରବର୍ତ୍ତୀ ସମୟରେ ପ୍ରାୟ ୮ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ବାସ୍ତବ ରୂପ ନେବା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିଲା । ଏହି ପ୍ରକ୍ରିୟାରେ ଯାଜପୁର ଜିଲ୍ଲାର କଳିଙ୍ଗ ନଗର ଏସିଆ ମହାଦେଶର ସବୁଠାରୁ ବଡ଼ ଇସ୍ପାତ ଶିଳ୍ପ ହବ ହୋଇପାରିଥିଲା । ବର୍ତ୍ତମାନର ସରକାର ମେକ ଇନ ଓଡିଶା କାର୍ଯ୍ୟକ୍ରମର କେବଳ ନାମ ପରିବର୍ତ୍ତନ କରି ଉକ୍ରର୍ଷ ଓଡିଶା ନାମରେ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । କିନ୍ତୁ ଗୋଟିଏ ପଟେ ନୂତନ ଶିଳ୍ପ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯାଉଥିବା ବେଳେ ଅପରପକ୍ଷରେ କଳିଙ୍ଗ ନଗର ଠାରେ ନିରୀହ ଆଦିବାସୀ ବିସ୍ଥାପିତ ମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘୋର ନିନ୍ଦନୀୟ । ବିସ୍ଥାପିତମାନେ ଶାନ୍ତିପୂର୍ଣ୍ଣ ଭାବେ ନିଜର ଦାବିକୁ ଉପସ୍ଥାପନା କରିବା ପାଇଁ ଏକ ଧାରଣାରେ ଥିବା ସମୟରେ ପୋଲିସ ଉପସ୍ଥିତିରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।
ଏହି ଆକ୍ରମଣର ଭିଡିଓ ପ୍ରଦର୍ଷିତ କରି ଶ୍ରୀ ଘଡ଼ାଇ କହିଥିଲେ, ପୋଲିସ ଉପସ୍ଥିତିରେ ନିରୀହ ବିସ୍ଥାପିତ ମାନଙ୍କ ଉପରେ ସାଧା ପୋଷାକରେ ଥିବା ବ୍ୟକ୍ତିଙ୍କ ଦ୍ୱାରା ଆକ୍ରମଣ କରାଯାଇଥିଲା । ଏଥିରେ ଅନେକ ବ୍ୟକ୍ତି ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ନିଜର ଭିଟାମାଟି ଛାଡିଥିବା ଲୋକଙ୍କ ଉପରେ ଯଦି ଏପରି ଆକ୍ରମଣ ହୁଏ, ତାହେଲେ ଓଡ଼ିଶାରେ ନୂତନ ପ୍ରକଳ୍ପ ପ୍ରତିଷ୍ଠା ହେବ କିପରି? ଏହି ଘଟଣାକୁ ୨୪ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ ବା ରାଜ୍ୟ ସରକାରଙ୍କ ତରଫରୁ ବିସ୍ଥାପିତ ମାନଙ୍କ ପାଖରେ କେହି ପହଞ୍ଚି ନାହାନ୍ତି । ଓଡ଼ିଶାରେ ନୂତନ ଶିଳ୍ପ ପ୍ରତିଷ୍ଠାର ଲକ୍ଷ୍ୟକୁ ପୂରଣ କରିବାକୁ ହେଲେ ବିସ୍ଥାପିତ ମାନଙ୍କୁ ସମ୍ମାନ ତଥା ଉପଯୁକ୍ତ ନ୍ୟାୟ ଦେବାକୁ ହେବ । ରାଜ୍ୟର ମୁଖ୍ୟମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ଭିଟାମାଟି ହରାଇଥିବା ଆଦିବାସୀ ଭାଇ ଭଉଣୀ ମାନଙ୍କ ଉପରେ ଆକ୍ରମଣ ହେଉଛି, ଯାହା ଆଦୌ ଗ୍ରହଣୀୟ ନୁହେଁ । ତେଣୁ ସରକାର ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ ଓ ବିସ୍ଥାପିତ ଆଦିବାସୀ ଭାଇ ଭଉଣୀ ମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *