ମେକ ଇନ ଓଡିଶା ପରେ ଶିଳ୍ପ ଅନୁଷ୍ଠାନ ମାନେ ଓଡିଶା ମୁହାଁ ହୋଇଥିଲେ: ବିଜେଡି

ଉକ୍ରର୍ଷ ଓଡିଶା କନକ୍ଲେଭ ମାଧ୍ୟମରେ ଯେଉଁ ସବୁ ଶିଳ୍ପ ଅନୁଷ୍ଠାନ ମାନେ ଏମଓୟୁ କରାଗଲା ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଉଛି, ସେଗୁଡିକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଆସିଥିବା ପ୍ରତିଶ୍ରୁତିର ପୁନରାବୃତ୍ତି ହେଉଛି ବୋଲି ବିଜୁ ଜନତା ଦଳ କହିଛି । ଶଙ୍ଖ ଭବନରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବିଧାୟକ ତଥା ପୂର୍ବତନ ଶିଳ୍ପ ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ପ୍ରଣୟନ କରାଯାଇଥିବା ନୂତନ ଶିଳ୍ପ ନୀତି, ଯଥା ଆଇପିଆର ୨୦୨୨, ନୂତନ ବିସ୍ଥାପନ ନୀତି, ଏକ ସଫଳ ଶିଳ୍ପ ନୀତି ଭାବେ ଆଦୃତ ହୋଇଥିଲା, ଯାହା ମାଧ୍ୟମରେ ରାଜ୍ୟରେ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲା ।
ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଆରମ୍ଭ କରାଯାଇଥିବା ମେକ ଇନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ୧୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରତିଶ୍ରୁତି ମିଳିଥିଲା । ପରବର୍ତ୍ତୀ ସମୟରେ ଏହି ପରିମାଣରୁ ପ୍ରାୟ ୩୩ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିଥିଲା ଓ ଆହୁରି ୧୭ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ଉଲ୍ଲେଖଯୋଗ୍ୟ, ଭାରତରେ ଶିଳ୍ପ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମରେ ଆସିଥିବା ପ୍ରତିଶ୍ରୁତିର ମାତ୍ର ୨୨ ପ୍ରତିଶତ କାର୍ଯ୍ୟକ୍ଷମ ହେଉଥିବା ବେଳେ ଓଡିଶା ତାଠାରୁ ଢେର ଉପରେ ରହିଛି । ଓଡ଼ିଶାରେ ଖଣି ଓ ମେଟାଲ ବିଭାଗ ଛଡା ବୟନଶିଳ୍ପ, ସାମୁଦ୍ରିକ ରପ୍ତାନୀ, ଆଇଟି ଓ ଅନ୍ୟାନ୍ୟ ବିଭାଗରେ ପୁଞ୍ଜି ନିବେଶ ହୋଇପାରିଥିଲା । ସେହିପରି, ଭଦ୍ରକ ଠାରେ ଟେକ୍ସଟାଇଲ ପାର୍କ, ଅନୁଗୁଳ ଠାରେ ଆଲୁମୁନିୟମ ଡାଉନଷ୍ଟ୍ରିମ ପାର୍କ ଓ କଳିଙ୍ଗ ନଗରରେ ଆଇରନ ଓ ଷ୍ଟିଲ ପାର୍କ ପ୍ରତିଷ୍ଠା ହେବା ସହିତ ପାରାଦ୍ୱୀପ ଠାରେ ପେଟ୍ରୋ କେମିକାଲ ପାର୍କ ପ୍ରତିଷ୍ଠା ପାଇଁ ଏମଓୟୁ ସ୍ୱାକ୍ଷର ହୋଇଛି । ଶିଳ୍ପ କ୍ଷେତ୍ରରେ ଏହି କାର୍ଯ୍ୟ ଯୋଗୁଁ ରାଜ୍ୟର ପ୍ରାୟ ତିନି ଲକ୍ଷ ଲୋକ ଶିଳ୍ପ ଅନୁଷ୍ଠାନ ଗୁଡିକରେ ସିଧାସଳଖ ନିଯୁକ୍ତି ପାଇ ପାରିଛନ୍ତି । ଅପରପକ୍ଷରେ, ରାଜ୍ୟର ଶିଳ୍ପାୟନ ଓ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ଅନୁମୋଦନ ନମିଳି ପାରିବାରୁ ଅନେକ ପ୍ରକଳ୍ପ କାମ ଆଗକୁ ବଢ଼ିପାରିନାହିଁ । ରାଜ୍ୟର ପ୍ରାୟ ଦୁଇ ଶହରୁ ଊଦ୍ଧ୍ୱର୍ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ଅନୁମୋଦନ ଅପେକ୍ଷାରେ ଅଛି, ଯାହା ମଧ୍ୟରୁ ପୁରୀ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରକଳ୍ପ ଅନ୍ୟତମ ।
ଶ୍ରୀ ମିଶ୍ର କହିଥିଲେ, ବର୍ତ୍ତମାନର ସରକାର କ୍ଷମତାକୁ ଆସିବାର ସାତ ମାସ ବିତି ଯାଇଥିଲେ ସୁଦ୍ଧା ଶିଳ୍ପ ପ୍ରତିଷ୍ଠା ଦିଗରେ ଗୋଟିଏ ବି ନୂତନ ନୀତି କରିନାହାନ୍ତି । ନୂତନ ସରକାର ଆସିବା ପରେ ଶିଳ୍ପ ଅନୁଷ୍ଠାନରେ ଜଣେ ବି ନୂତନ ନିଯୁକ୍ତି ପାଇନାହାନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଡାକି ଆୟୋଜିତ ହେଉଥିବା ଉକ୍ରର୍ଷ ଓଡିଶା କନକ୍ଲେଭରେ କେବଳ ପୂର୍ବରୁ ମେକ ଇନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଆସିଥବା ଶିଳ୍ପ ଅନୁଷ୍ଠାନ ଗୁଡିକ କରିଥିବା ପ୍ରତିଶ୍ରୁତିକୁ ପୁନରାବୃତ୍ତି କରୁଛନ୍ତି । ସୁତରାଂ, ଉକ୍ରର୍ଷ ଓଡିଶା କନକ୍ଲେଭ ବାସ୍ତବରେ ମେକ ଇନ ଓଡ଼ିଶାର କପି ପେଷ୍ଟ ବୋଲି ଶ୍ରୀ ମିଶ୍ର କହିଥିଲେ ।

Leave a Reply

Your email address will not be published. Required fields are marked *